ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ତେବେ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭରୁ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନଵ ଦାସ ହତ୍ୟା ଘଟଣାକୁ ମେଇ ହଟ୍ଟଗୋଳ କରିଥିବା ବେଳେ ଶାସକ ଦଳର ବିଧାୟକମାନେ ଚାଷୀ ପ୍ରସଙ୍ଗ ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗୃହରେ ପ୍ରତିବାଦ କରିଛନ୍ତି । ଫଳରେ ଗୃହକାର୍ଯ୍ୟ ଚାଲିବା ସମ୍ଭବ ପର ନଥିଲା । ବାଧ୍ୟହୋଇ ଦିନ ୧୧.୩୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି ।
ସୂଚନା ଥାଉକି, ବିଧାନସଭା ଆରମ୍ଭରୁ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ହୁଲୁସ୍ତୁଲ ହୋଇଥିଲା ଗୃହ । ତଦନ୍ତଭାର ସିବିଆଇକୁ ଦେବାକୁ ବିଜେପି ସଦସ୍ୟମାନେ ଦାବି କରିଥିଲେ । ପ୍ଲାକାର୍ଡ ଦେଖାଇ ବିଜେପି ବିଧାୟକ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଆଇ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ କଂଗ୍ରେସର ପ୍ରତିବାଦ । ସେପଟେ ନିଜ ନିଜ ସିଟ୍ରେ ରହି ବିଜେଡି ବିଧାୟକଙ୍କ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ର ଅବହେଳା ଏବଂ ଚାଷୀ ମାରଣ ନୀତି ନେଇ ବିଜେଡି ସଦସ୍ୟ ମାନେ ପ୍ରତିବାଦ କରିଛନ୍ତି ।
