
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଚଣ୍ଡିଗଡ ହରିୟାଣା କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକଟି ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ତେବେ ଭାରତୀୟ ହକି ଟିମର ଐତିହାସିକ ବିଜୟ ପରେ ଦଳରେ ସାମିଲ ଥିବା ହରିଆଣାର ୨ ଜଣ ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ହରିଆଣାର ୨ ଜଣ ଖେଳାଳିଙ୍କୁ ସରକାରଙ୍କ ତରଫରୁ ୨.୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାସହ ସେମାନଙ୍କୁ ରାଜ୍ୟ ଖେଳ ବିଭାଗରେ ସିନିୟର କୋଚ ପଦ ବି ମିଳିବ ।
ଏହା ବ୍ୟତୀତ ୨ଖେଳାଳିଙ୍କୁ ରିଆତି ଦରରେ ଗୋଟିଏ ଲେଖାଏଁ ପ୍ଲଟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତୀୟ ହକି ଟିମରେ ସୋନିପତରୁ ସୁମିତ କୁମାର ଓ କୁରୁକ୍ଷେତ୍ରରୁ ସୁରେନ୍ଦ୍ର କୁମାର ସାମିଲ ହୋଇଥିଲେ । ସେମାନଙ୍କୁ ଏହି ସବୁ ସୁବିଧା ମିଳିବ। ଅପରିପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା କୁସ୍ତି ଯୋଦ୍ଧା ରବି ଦହିୟାଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ରିଆତି ଦରରେ ଗୋଟିଏ ପ୍ଲଟ ଓ ଚାକିରି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ଭାରତୀୟ ହକି ଟିମର ବିଜୟ ଓ ପଞ୍ଜାବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପରେ ପଞ୍ଜାବର କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂହ ସୋଢ଼ି ଘୋଷଣା କରିଥିଲେ କି ତାଙ୍କ ସରକାର ପଦକ ବିଜେତା ହକି ଟିମର ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବ ।
ଏହା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିିଂହ ଚୌହାନ ମଧ୍ୟ ମଧ୍ୟପ୍ରଦେଶର ୨ଜଣ ହକି ଖେଳାଳିଙ୍କୁ ୧କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପଟେ ଭାରତୀୟ ହକି ଟିମ୍ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ପଦକ ଆଣିବାରେ ସଫଳ ହୋଇଛନ୍ତି । ତେଣୁ ସମଗ୍ର ଦେଶରେ ଖୁସିର ଲୋହର ଖେଳିଯାଇଛି ।