ଜାମ୍ମୁ-କାଶ୍ମୀରରେ ହେବକି ବିଜେପି-ଏନ୍‌ସି ମେଣ୍ଟ ? ପରସ୍ପରର ପ୍ରଶଂସା ପରେ ଜୋର୍ ଧରିଲା ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରଠାରୁ ଏଠାରେ ବିଧାନସଭା ନିର୍ବାଚନ ହୋଇ ନାହିଁ। ଏବେ ସ୍ଥିତି ସୁଧୁରିଥିବାରୁ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଆଲୋଚନା ହେଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେଠାରେ ନିଜ ନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ତେବେ ଏହି ସମୟରେ ନ୍ୟାସନାଲ କନଫରେନ୍ସ (ଏନ୍‌ସି) ଓ ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି। କାରଣ ନ୍ୟାସ୍‌ନାଲ କନଫରେନ୍ସ ନେତା ଉମର ଅବ୍ଦୁଲ୍ଲା ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ରବିନ୍ଦର ରୈନାଙ୍କ ମଧ୍ୟରେ ଟ୍ୱିଟରରେ ହୋଇଥିବା ଆଲୋଚନାକୁ ନେଇ ଲୋକମାନେ ଏଭଳି ଚର୍ଚ୍ଚା କରିବା ଆରମ୍ଭ କରିଦେଲେଣି।

ସୂଚନା ଅନୁସାରେ ଉମାର ଅବ୍ଦୁଲ୍ଲା ଜାମ୍ମୁ-କାଶ୍ମୀର ବିଜେପି ଅଧ୍ୟକ୍ଷଙ୍କର ଏକ ବୟାନ ଉପରେ ପ୍ରତିକ୍ରିୟା ଦେଇ ଶୁକ୍ରବାର କହିଛନ୍ତି ଯେ, ରାଜନୈତିକ ବିରୋଧୀମାନେ ପରସ୍ପରର ଶତ୍ରୁ ନୁହଁନ୍ତି। ରାଜନୀତି ମଧ୍ୟ ବିଭାଜନ ଓ ଘୃଣା ପାଇଁ ନୁହେଁ। ଉମାର ଅବଦୁଲ୍ଲାଙ୍କର ଏହି ଟ୍ୱିଟ୍‌କୁ ନେଇ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି।

ବିଜେପି-ଏନ୍‌ସିର ମେଣ୍ଟ ହେବାକୁ ଯାଉଛି ବୋଲି ଜଣେ ଟ୍ୱିଟର ୟୁଜର କହିଛନ୍ତି। ଲୋକଙ୍କର ଏଭଳି ପ୍ରତିକ୍ରିୟା ମଧ୍ୟ ସ୍ୱାଭାବିକ। କାରଣ ରାଜନୀତିରେ ଚିର ପ୍ରତିଦ୍ୱନ୍ଦ୍ୱୀ ଏନ୍‌ସି ଓ ବିଜେପିର ନେତାମାନେ ପରସ୍ପରକୁ ଏପରି ପ୍ରଶଂସା କରୁଛନ୍ତି ଯେ ଲାଗୁଛି ଯେପରି ସେମାନେ ଗୋଟିଏ ଦଳ। କିଛିଦିନ ପୂର୍ବେ ଜାମ୍ମୁ-କାଶ୍ମୀର ବିଜେପି ଅଧ୍ୟକ୍ଷ ରବିନ୍ଦର ରୈନା ଉମର ଅବ୍ଦୁଲ୍ଲାଙ୍କୁ ଜାମ୍ମୁ-କାଶ୍ମୀର ନେତାମାନଙ୍କ ମଧ୍ୟରେ ରତ୍ନ ବୋଲି କହିଥିଲେ। ସେ କହିଥିଲେ ଯେ, ଯେବେ ଉମାର ଅବ୍ଦୁଲ୍ଲାଙ୍କ ସହିତ ବିଧାନସଭାର ସଦସ୍ୟ ହେଲି ସେତେବେଳେ ଜଣେ ମଣିଷ ହିସାବରେ ମୁଁ ଦେଖିଲି ଯେ ଅବ୍ଦୁଲ୍ଲା ଜାମ୍ମୁ-କାଶ୍ମୀରର ଶୀର୍ଷ ରାଜନୈତିକ ନେତାମାନଙ୍କ ମଧ୍ୟରେ ଜଣେ ହୀରା। ଏଥିପାଇଁ ଆମେ ଦୁଇଜଣ ସାଙ୍ଗ ମଧ୍ୟ।

Related Posts