ଜମ୍ମୁକଶ୍ମୀରରେ କଂଗ୍ରେସକୁ ଲାଗିପାରେ ଆଉ ଏକ ଝଟକା, ଦଳ ଛାଡ଼ିବା ନେଇ ଇସାରା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ୍ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳ ଛାଡିଥିଲେ। ଗୁଲାମ ନବୀଙ୍କ ପରେ ବର୍ତ୍ତମାନ କଂଗ୍ରେସକୁ ଜମ୍ମୁକଶ୍ମୀରରୁ ଆଉ ଏକ ବଡ଼ ଝଟକା ଲାଗିପାରେ। ମହାରାଜା ହରି ସିଂଙ୍କ ପୁଅ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ୍ ସିଂ ମଧ୍ୟ କଂଗ୍ରେସ ଛାଡିବା ନେଇ ଇସାରା ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ୧୯୬୭ରେ କଂଗ୍ରେସରେ ଯୋଗ ଦେଇଥିଲି, କିନ୍ତୁ ଆଜି ଦଳ ସହିତ ମୋର ସମ୍ପର୍କ ନଥିବା ଭଳି ହୋଇଯାଇଛି । କରନ୍ ସିଂ କହିଛନ୍ତି, ‘ମୁଁ ୧୯୬୭ ରେ କଂଗ୍ରେସରେ ଯୋଗ ଦେଇଥିଲି।କିନ୍ତୁ ଗତ ୮ ରୁ ୧୦ ବର୍ଷ ହେଲା ମୁଁ ସଂସଦର ସଦସ୍ୟ ନାହିଁ । ମୋତେ ୱର୍କିଙ୍ଗ କମିଟିରୁ ମଧ୍ୟ ବାହାର କରି ଦିଆଯାଇଥିଲା। ମୁଁ କଂଗ୍ରେସରେ ଅଛି ସତ, କିନ୍ତୁ ଦଳ ସହିତ ମୋର କୌଣସି ସମ୍ପର୍କ ନାହିଁ।’

ସୂଚନାଯୋଗ୍ୟ ଯେ, ଜମ୍ମୁ କଶ୍ମୀରର ଶେଷ ମହାରାଜା ଥିଲେ ହରି ସିଂ। ତାଙ୍କ ପୁତ୍ର କରନ୍ ସିଂ ୧୯୬୭ ରୁ ୧୯୭୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ। ତେବେ ଗତ କିଛି ବର୍ଷ ଧରି ତାଙ୍କୁ ଦଳରେ ଅବହେଳା କରାଯାଇ ଆସୁଥିବାର ସେ କହିଥିବାବେଳେ ଗୁଲାମ ନବୀ ଆଜାଦଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରନ୍ ସିଂଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ନିକଟରେ ସେ ଏକ ପୁସ୍ତକ ଲେଖିଥିଲେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉନ୍ମୋଚନ କରିଥିଲେ ଏବଂ ଏହି ଅବସରରେ କରନ୍ ସିଂଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା ମଧ୍ୟ କରିଥିଲେ। ଯଦିଓ କରନ୍ ସିଂ କଂଗ୍ରେସ ଛାଡିବା ନେଇ ସ୍ପଷ୍ଟ ଭାବେ କହିନାହାନ୍ତି କିନ୍ତୁ ସେ ଦଳ ଛାଡିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Related Posts