ଭୁବନେଶ୍ଵର,୧୫/୧୨ (ସତ୍ୟପାଠ ବ୍ୟୁରୋ): ବିହାରର ସାରଣରେ ବିଷାକ୍ତ ମଦ ଯୋଗୁଁ ୩୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ବିରୋଧୀ ବିଜେପି ଏହି ପ୍ରସଙ୍ଗରେ ଲଗାତାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘେରିବାରେ ଲାଗିଛି। ଏହା ଭିତରେ ନୀତୀଶ କୁମାର ବିଧାନସଭାରେ ବିରୋଧୀଙ୍କୁ ଜବାବ୍ ଦେଇ କହିଛନ୍ତି ଯେ, ‘ଯିଏ ନକଲି ମଦ ପିଇବ ସେ ମରିବ, ଲୋକଙ୍କୁ ନିଜେ ସଚେତନ ରହିବା ଦରକାର।’
ନୀତୀଶ ଆହୁରି କହିଛନ୍ତି ଯେ, ଯେତେବେଳେ ବିହାରରେ ମଦ ବନ୍ଦ ନଥିଲା, ସେତେବେଳେ ଲୋକ ନକଲି ମଦ ପିଇ ମରିଯାଉଥିଲେ। ଏପରିକି ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଘଟଣା ଘଟୁଛି। ଲୋକଙ୍କୁ ସଚେତନ ରହିବା ଦରକାର। ବିହାରରେ ମଦ ବନ୍ଦ ରହିଛି, ତେବେ କିଛି ନା କିଛି ଲୋକ ନକଲି ମଦ ବିକ୍ରି କରିବେ। ଏହାକୁ ପିଇ ଅନେକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ନୀତୀଶ କୁମାର କହିଛନ୍ତି ଯେ, ମଦ ପିଇବା ଖରାପ ଅଭ୍ୟାସ। ଏହାକୁ ପିଇବା ଉଚିତ ନୁହେଁ। ମୁଁ ଅଧିକାରୀଙ୍କୁ କହିଛି ଗରିବ ଲୋକଙ୍କୁ ନଧରନ୍ତୁ। ଯେଉଁ ଲୋକ ଏହି ବ୍ୟବସାୟ କରୁଛନ୍ତି ତାଙ୍କୁ ଧର। ମଦ ବନ୍ଦ ଆଇନ ଯୋଗୁଁ ବହୁ ଲୋକଙ୍କ ଫାଇଦା ହୋଇଛି। ବହୁ ଲୋକ ମଦ ପିଇବା ଛାଡି ଦେଇଛନ୍ତି। ଏହାସହିତ ନୀତୀଶ କୁମାର ଅପିଲ କରିଛନ୍ତି ଯେ, କେହି ବି ମଦ ବ୍ୟବସାୟ କରନ୍ତୁ ନାହିଁ, ଅନ୍ୟ କୌଣସି ବ୍ୟବସାୟ କରନ୍ତୁ। ଦରକାର ପଡିଲେ ସରକାର ବ୍ୟବସାୟ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି।
ଉଲ୍ଲେଖାଯୋଗ୍ୟ ଯେ, ବିହାରର ସାରଣରେ ଇସୁଆପୁର ଓ ମଶରକ ଥାନାରେ କଥିତ ଭାବରେ ବିଷାକ୍ତ ମଦ ପିଇବା କାରଣରୁ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ମୃତ୍ୟୁ ମଦ ପିଇବା କାରଣରୁ ହୋଇଥିଲା। ତେବେ ଏହି ପ୍ରସଙ୍ଗରେ ପ୍ରଶାସନ ଚୁପ୍ ରହିଛି। କୁହାହଯାଉଛି ଯେ, ଏବେ ବି ଅନେକ ଲେକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।
