ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ୪୦୪ ରନ୍ କରି ଭାରତ ଅଲଆଉଟ

ଭୁବନେଶ୍ଵର,୧୫/୧୨ (ସତ୍ୟପାଠ ବ୍ୟୁରୋ): ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି। ଚେତେଶ୍ୱର ପୂଜାରାଙ୍କ ୯୦, ଶ୍ରେୟସ ଆୟରଙ୍କ ୮୬, ରବିଚନ୍ଦ୍ରନ ଅଶ୍ୱିନଙ୍କ ୫୮ ଓ କୁଲଦୀପ ଯାଦବଙ୍କ ଦମଦାର ୪୦ ରନ ବଳରେ ଟିମ ଇଣ୍ଡିଆ ୪୦୪ ରନ କରି ଅଲଆଉଟ ହୋଇଟାଇଛି। ତେବେ ବାଂଲାଦେଶର ସ୍ପିନିଂ ଟ୍ରାକ୍‌ରେ ଭାରତ ୪୦୪ ରନ କରିଥିବାରୁ ବାଂଲାଦେଶକୁ ଏହାକୁ ପିଛା କରିବା ବେଶ କଷ୍ଟକର ହେବ ବୋଲି ଆଶା କରାଯାଉଛି।

ତେବେ ପ୍ରଥମ ଦିନରେ ଭାରତର ପୂଜାରାଙ୍କ ୯୦ ରନ ଓ ଆୟରଙ୍କ ଅପରାଜିତ ୮୨ ରନ ବଳର ୬ ୱିକେଟ ହରାଇ ୨୭୮ ରନ କରିଥିଲା। ଆଜି ସକାଳୁ ଆୟରଙ୍କ ସହ ରବି ଅଶ୍ୱିନ ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ସତର୍କତାର ସହ ଖେଳିଥିଲେ ମଧ୍ୟ ବଡ଼ ସ୍କୋର କରି ପାରି ନଥିଲେ ଆୟର। ସେ ୮୬ ରନ କରି ଇବାଦତ ହୁସେନଙ୍କ ବଲରେ ଆଉଟ ହୋଇଥିଲେ।

ତେବେ ଅଭିଜ୍ଞ ଅଶ୍ୱିନ ଓ କୁଲଦୀପ ଯାଦବ ଲଞ୍ଚ ଯାଏ ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଲଞ୍ଚ ସୁଦ୍ଧା ଦଳୀୟ ସ୍କୋରକୁ ୩୪୮ରେ ପହଞ୍ଚାଇ ଦେଇଥିଲେ। ଲଞ୍ଚ ପରେ ମଧ୍ୟ ଉଭୟ ବ୍ୟାଟିଂ ଜାରି ରଖିଥିଲେ। ଏଥିସହ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୩୮୫ ହୋଇଥିବା ବେଳେ ଅଶ୍ୱିନ ୫୮ ରନ କରି ଆଉଟ ହୋଇଥିଲେ। ସେହିପରି ଲଢ଼ୁଆ ବ୍ୟାଟିଂ କରୁଥିବା କୁଲଦୀପ ଯାଦବ ୪୦ ରନ କରି ତାଇଜୁଲ ଇସଲାମଙ୍କ ୪ର୍ଥ ଶିକାର ବନିଥିଲେ। ଉମେଶ ଯାଦବ ୧୦ ବଲରେ ଅପରାଜିତ ୧୫ ଓ ମହମ୍ମଦ ସିରାଜ ୪ ରନ କରିବାରୁ ଭାରତ ପ୍ରଥମ ଇନିଂସରେ ୪୦୪ ରନ କରିଛି।

ପ୍ରଥମ ଦିନରେ ଭାରତ କେଏଲ ରାହୁଲ(୨୨), ଶୁବମନ ଗିଲ(୨୦), ପୂଜରା(୯୦), ଋଷଭ ପନ୍ତ(୪୬) ଅକ୍ଷର ପଟେଲ(୧୪)ଙ୍କୁ ହରାଇଥିଲା। ଆଜି ଭାରତ ଆଉ ୪ ୱିକେଟ ହରାଇ ଅଲଆଉଟ ହୋଇଛି।

ବାଂଲାଦେଶ ପକ୍ଷରୁ ଦୁଇ ସ୍ପିନର ତାଇଜୁଲ ଇସଲାମ ଓ ମେହଦି ହାସନ ମିରଜା ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ଇବାଦତ ହୁସେନ ଏବଂ ଖାଲେଦ ଅହମଦ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Related Posts