କୋଭିଡ୍ ମୁକାବିଲାରେ କେରଳର ‘ହିରୋ’ କୁହାଯାଉଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କେ.କେ ସେଲଜା ବିଜୟନଙ୍କ କ୍ୟାବିନେଟରୁ ଆଉଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଯେତେବେଳେ ଭାରତକୁ ପ୍ରବେଶ କଲା ସେତେବେଳେ ସବୁଆଡେ କେରଳ ମଡେଲ୍ ର ଚର୍ଚ୍ଚା ଜୋର ଧରିଥିଲା। କାରଣ କରୋନା ସହ ମୁକାବିଲା କରିବାରେ କେରଳର ସ୍ଥିତି ପ୍ରାୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ଥିଲା। ତେବେ ଏହି ସଫଳତାର ଶ୍ରେୟ ଦିଆଯାଇଥିଲା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ସେଲଜାଙ୍କୁ। ସେତେବେଳେ ତାଙ୍କୁ ‘ରକଷ୍ଟାର’ କୁହାଯାଉଥିଲା। କିନ୍ତୁ ନବ ନିର୍ବାଚିତ ଏଲଡିଏଫ୍ ସରକାରରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇ ନାହାଁନ୍ତି। ରାଜ୍ୟର ସିପିଏମ୍ ପାର୍ଟି କମିଟି ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର କମିଟି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କୁ ବାଦ୍ ଦେଲେ ନୂତନ ମନ୍ତ୍ରଣାଳୟରେ ଆଉ କେହି ବି ପୁରୁଣା ମନ୍ତ୍ରୀ ରହିବେ ନାହିଁ । ପିନରାଇ ବିଜୟନ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସିପିଏମ୍ ର LDF କ୍ୟାବିନେଟରେ ଏଥର 12 ଜଣ ସଦସ୍ୟ ରହିବେ। ତେବେ ଭଲ କାମ କରିବା ସତ୍ତ୍ବେ ମନ୍ତ୍ରୀ ମଣ୍ଡଳରୁ ବାଦ୍ ପଡିବା ନେଇ ସେଲଜା କହିଛନ୍ତି ଯେ ସେ ଏଥିପାଇଁ ନିରାଶ ନୁହଁନ୍ତି। ସେ କହିଛନ୍ତି, “ମୁଁ ଜାଣେ ଯେ ଲୋକମାନେ ମୋ ପ୍ରତି ନିଜର ଭଲପାଇବା ଓ ସହାନୁଭୂତି ବ୍ୟକ୍ତ କରିଛନ୍ତି। ମୋତେ ପୁଣି ଥରେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଉଛି।” କୋଭିଡ ମହାମାରୀର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ଗତ ବର୍ଷ ଅକ୍ଟୋବରରେ ସେଲଜା ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ। 2016 ମସିହାରେ, ସେ କୁଥୁପରାମବା ଆସନରୁ 12 ହଜାରରୁ ଅଧିକ ଭୋଟ୍ ଜିତିଥିଲେ। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ତାଙ୍କୁ କୁନୁରର ମତ୍ତାନୁର ଜିଲ୍ଲାରୁ ଲଢି ସେ 60 ହଜାର 935 ଭୋଟରେ ନିର୍ବାଚନରେ ​​ଜିତିଥିଲେ। କେରଳ କ୍ୟାବିନେଟରୁ ସେଲଜାଙ୍କୁ ହଟାଇବା ନେଇ ବହୁ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ସମାଲୋଚନା କରିଛନ୍ତି।

Related Posts