ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ, ମଧ୍ୟାହ୍ନରେ ହୋଇଥିଲା ଗୁଳିମାଡ

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖି ବୁଜିଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଆଜି ମଧ୍ୟାହ୍ନରେ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଜଣେ ପୁଲିସ କର୍ମୀ ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥଲେ। ସେଠାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଆପୋଲ ହସ୍ପିଟାଲକୁ ତାଙ୍କୁ ଏୟାର ଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତେବେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ଏନେଇ କୁହାଯାଇଛି ଯେ, ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା ଜାରି ରଖିଥିଲେ। ଏହି ଗୁଳିମାଡ଼ରେ ଗୁଳି ତାଙ୍କ ବାମ ପଟ ଛାତିରେ ପଶି ବାହାରି ଯାଇଥିଲା। ଏହାଦ୍ବାରା ତାଙ୍କର ହାର୍ଟ ଓ ବାମ ପଟ ଫୁସଫୁସରେ ଗଭୀର ଆଘାତ ଲାଗିଥିଲା ଓ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆପୋଲୋ ହସ୍ପିଟାଲରେ ତାଙ୍କର ସର୍ଜରୀ ମଧ୍ୟ କରାଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ଆଇସିୟୁରେ ଥିବା ସମୟରେ ତାଙ୍କର ପରଲୋକ ହୋଇଛି।

ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ସ୍ଥିତ ଗାନ୍ଧି ଛକରେ ଗୁଳିମାଡ଼ ହୋଇଥିଲା । ନବଙ୍କ ଛାତିରେ ଗୁଳି ବାଜିଥିଲା । ବିଜେଡି କାର୍ଯ୍ୟାଳୟର ଉଦଘାଟନ ପାଇଁ ଯାଉଥିବା ସମୟରେ ଏହି ଗୁଳିମାଡ ହୋଇଥିଲା। ମନ୍ତ୍ରୀ ଗାଡିରୁ ଓହ୍ଲାଇବା ସମୟରେ ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରିଥିଲେ। ଗାଡିରୁ ମନ୍ତ୍ରୀ ଓହ୍ଲାଇବା ବେଳେ କର୍ମୀମାନେ ତାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରୁଥିଲେ । ଠିକ୍ ଏହି ସମୟରେ ଅତର୍କିତ ଭାବରେ ପୋଲିସ ଏଏସଆଇ କରିଥିଲେ ଗୁଳିମାଡ଼। ଏହି ଘଟଣା ପରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ କାବୁ କରାଯାଇଛି । ଏବେ ତାଙ୍କୁ ପଚରା ଉଚରା କରାଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Related Posts