ଗୁଳିମାଡ ପରେ ଝାରସୁଗୁଡାରୁ ଭୁବନେଶ୍ବର ଏୟାରଲିଫ୍ଟ ହେଲେ ନବ ଦାସ: ଗ୍ରୀନ କରିଡରରେ ଆଣି ଆପୋଲୋ ହସ୍ପିଟାଲରେ କରାଗଲା ଭର୍ତ୍ତି

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଏୟାରଲିଫ୍ଟ କରାଯାଇଛି । ଝାରସୁଗୁଡାରୁ ଏୟାରଲିଫ୍ଟ କରାଯାଇ ମନ୍ତ୍ରୀଙ୍କୁ ଭୁବନେଶ୍ବର ବିମାନବନ୍ଦର ଅଣାଯାଇଥିଲା । ଏହାପରେ ବିମାନବନ୍ଦରରୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଯାଏ ଗ୍ରିନ୍ କରିଡର୍ କରାଯାଇ ନବ ଦାସଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ସେଠାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା ଆରମ୍ଭ କରିଛନ୍ତି । ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଛି। ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିବାର ସୂଚନା ମିଳିଛି। ତେଣେ ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ ଯେ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ବ୍ରଜରାଜନଗର ସ୍ଥିତ ଗାନ୍ଧି ଛକରେ ଗୁଳିମାଡ଼ ହୋଇଥିଲା । ନବଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି । ବିଜେଡି କାର୍ଯ୍ୟାଳୟର ଉଦଘାଟନ ପାଇଁ ଯାଉଥିବା ସମୟରେ ଏହି ଗୁଳିମାଡ ହୋଇଛି। ମନ୍ତ୍ରୀ ଗାଡିରୁ ଓହ୍ଲାଇବା ସମୟରେ ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରିଛନ୍ତି। ଗାଡିରୁ ମନ୍ତ୍ରୀ ଓହ୍ଲାଇବା ବେଳେ କର୍ମୀମାନେ ତାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରୁଥିଲେ । ଠିକ୍ ଏହି ସମୟରେ ଅତର୍କିତ ଭାବରେ ପୋଲିସ ଏଏସଆଇ କରିଥିଲେ ଗୁଳିମାଡ଼। ଏହି ଘଟଣା ପରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ କାବୁ କରାଯାଇଛି । ଏବେ ତାଙ୍କୁ ପଚରା ଉଚରା କରାଯାଉଛି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାକୁ ଦୁଃର୍ଭାଗ୍ୟଜନକ କହିବା ସହିତ ଏହାର ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ। ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Related Posts