ଲୋକଙ୍କୁ ଅକ୍ସିଜେନ୍ ମିଳୁନାହିଁ ସେପଟେ ସ୍ଵାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି ଚକଲେଟ ଖାଅ : ଓୱେଶି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭାରତରେ କୋଭିଡ୍ ର ଦ୍ୱିତୀୟ ଲହରୀରେ ଅକ୍ସିଜେନ ସଙ୍କଟ ଏବେ ସବୁଠାରୁ ବଡ଼ ସଙ୍କଟ ହୋଇ ଛିଡ଼ା ହୋଇଛି। ଏହି ସମୟରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଏକ ବୟାନକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି କଟାକ୍ଷ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ” ଦେଶର ଲୋକଙ୍କୁ ଏଠି ମେଡିକାଲ ଅମ୍ଳଜାନ ମିଳୁ ନାହିଁ, କିନ୍ତୁ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଶବାସୀଙ୍କୁ ଚାପ ମୁକ୍ତ ହେବା ପାଇଁ ଡାର୍କ ଚକୋଲେଟ୍ ଖାଇବାକୁ କହୁଛନ୍ତି ।  ଏହା ହେଉଛି ଏହି ସରକାରର ପ୍ରକୃତି ଏବଂ ଏମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ମନୋନୀତ ମନ୍ତ୍ରୀ। ” କିଛି ଦିନ ପୂର୍ବରୁ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଥିଲେ ଯେ,  କରୋନା ଚାପରୁ ମୁକ୍ତି ପାଇବା ପାଇଁ 70 ପ୍ରତିଶତ କୋକୋ ସହିତ ଅଳ୍ପ ପରିମାଣର ଚକୋଲେଟ୍ ଖାଇବା ଆବଶ୍ୟକ। ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଡାର୍କ ଚକୋଲେଟ୍ ମନ୍ତବ୍ୟ ଉପରେ ହର୍ଷ ବର୍ଦ୍ଧନଙ୍କ ପରାମର୍ଶ ବିବାଦ ସୃଷ୍ଟି କରିଥିଲା ​​।

Related Posts