ବର୍ଷା ଆଲର୍ଟ : ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ବର୍ଷାକୁ ନେଇ ଆଲର୍ଟ କରାଯାଇଛି । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୮ତାରିଖ ଯାଏ ବର୍ଷା ଜାରୀ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ଅଧିକ ହୋଇପାରେ । କିଛି ସ୍ଥାନରେ ଏହି ୬ଦିନ ମଧ୍ୟରେ ୨୦୦ମିମି ଯାଏ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଭାରତୀୟ ପାଣିପାଗ ବିଭାଗରୁ ଏହି ସୂଚନା ମିଳିବା ପରେ ଆଲର୍ଟ ହୋଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳ ମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଚିଠିରେ କୁହାଯାଇଛି, ଲଘୁଚାପ ପ୍ରଭାବରେ ଅଗଷ୍ଟ ୨ରୁ ୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ଖରାପ ହେବାର ଆଶଙ୍କା ରହିଛି । ଏହିସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ପ୍ରଶାସନିକ ସ୍ତରରେ ଜିଲ୍ଲାପାଳ ମାନେ ସତର୍କ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ଥିବା ଲୋକେ ତଥା ହଷ୍ଟେଲ ଓ ଆବାସିକ ସ୍କୁଲଗୁଡିକରେ ରହୁଥିବା ଅନ୍ତେବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଗୁଆ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି ।

Related Posts