
ରୋମ୍: ଇଟାଲିରେ ଘଟିଥିବା ହେଲିକପ୍ଟର୍ ଦୁର୍ଘଟଣାରେ ମିଳିଲା ମୃତଦେହ । ୭ଜଣଙ୍କ ଶବ ଉଦ୍ଧାରକାରୀମାନେ ଉଦ୍ଧାର କରିଥିବା ଶନିବାର ଦିନ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ଦୁଇ ଦିନ ତଳେ ଉକ୍ତ ହେଲିକପ୍ଟର୍ଟି ରାଡାର ପରଦାରୁ ଅଦୃଶ୍ୟ ହୋଇଯାଇଥିଲା।
ଗୁରୁବାର ଦିନ ହେଲିକପ୍ଟର୍ଟି ତୁସ୍କେନିର ଲୁକାରୁ ଉଡ଼ାଣ ଆରମ୍ଭ କରି ଉତ୍ତରାଞ୍ଚଳ ନଗରୀ ଟ୍ରେଭିସୋ ଅଭିମୁଖେ ଯାଉଥିବା ବେଳେ ଖରାପ ପାଗ ଯୋଗୁଁ ଦୂରାନ୍ତର ଅଞ୍ଚଳରେ ନିଖୋଜ ହୋଇଯାଇଥିଲା।
ଏକ ବିବୃତିରେ ମୋଡେନା ନଗରୀର ପ୍ରିଫେକ୍ଟ୍ ଅଫିସ୍ କହିଛି: ହେଲିକପ୍ଟର୍ରୁ ଉଦ୍ଧାରକାରୀମାନେ ୭ଜଣ ମୃତ ଯାତ୍ରୀଙ୍କ ଶବ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ତୁର୍କୀ ଓ ୨ଜଣ ଲେବାନୀୟ ନାଗରିକ। ସେମାନେ ବ୍ୟାବସାୟିକ ଗସ୍ତରେ ଇଟାଲି ଯାଉଥିଲେ। ୭ମ ମୃତ ବ୍ୟକ୍ତିଜଣକ ହେଉଛନ୍ତି ଇଟାଲୀୟ ପାଇଲଟ୍।
ଟୁସ୍କେନି ଓ ଏମିଲିଆ ରୋମାନ୍ ସୀମାନ୍ତ ମଧ୍ୟସ୍ଥ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍କୁ ଠାବ କରାଯାଇଛି ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
ଘଟଣାର ତଦନ୍ତ ନିମନ୍ତେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ପ୍ରସିକ୍ୟୁଟର୍ମାନେ ଘେରାବନ୍ଦୀ କରିଛନ୍ତି। ଇଟାଲୀୟ ବାୟୁସେନା ଟୁଇଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ କରାଯାଇଥିବା ଏକ ଭିଡିଓରେ ଜଣେ ଉଦ୍ଧାରକାରୀ କହିଛନ୍ତି, ଆମେ ବିମାନଟିକୁ ପାଇବା ପରେ ଘଟଣାସ୍ଥଳକୁ ଯାଇ ଦେଖିଲୁ ସବୁ ପୋଡ଼ିଯାଇଛି। ଗୋଟାଏ ନଦୀ ନିକଟ ଉପତ୍ୟକା ମଧ୍ୟରେ ହେଲିକପ୍ଟର୍ଟି ଖସିପଡ଼ିଛି।
ନିହତ ତୁର୍କୀ ବ୍ୟବସାୟୀମାନେ ‘ଏକ୍ଜାସିବେସି କନ୍ଜ୍ୟୁମର୍ ପ୍ରଡକ୍ଟ୍’ ପାଇଁ କାର୍ଯ୍ୟ କରୁଥିଲେ। ସେମାନେ ଇଟାଲିରେ ଗୋଟାଏ ‘ପେପର୍ ଟେକ୍ନୋଲୋଜି ମେଳା’ରେ ଯୋଗ ଦେଇ ଫେରୁଥିଲେ ବୋଲି ତୁର୍କୀର ‘ଇଣ୍ଡଷ୍ଟ୍ରିଆଲ୍ ଗ୍ରୁପ୍ ଏକ୍ଜାଇସିବେସି’ ଦେଇଥିବା ବିବୃତିରେ କହିଛି।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍ଟି ଥିଲା ପ୍ରତିରକ୍ଷା ଗ୍ରୁପ୍ ‘ଲିଓନାର୍ଡୋ’ଦ୍ବାରା ନିର୍ମିତ ‘ଏଡବ୍ଲୁ୧୧୯ କୋଆଲା’ ବୋଲି ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଜଣେ ବ୍ୟକ୍ତି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି।
‘ଏଏନ୍ଏସ୍ଏ’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ଉତ୍ତର ଇଟାଲି ଅନ୍ତର୍ଗତ ଥିଏନିସ୍ଥିତ ‘ଏରୋନଟିକ୍ସ୍ ମେଣ୍ଟେନାନ୍ସ୍ କମ୍ପାନି’ ‘ଏଭିଓ ହେଲିକପ୍ଟର୍ର୍ସ’ ମାଲିକାନାରେ ଥିଲା। କିନ୍ତୁ, ବିବୃତି ନିମନ୍ତେ ‘ଏଭିଓ ହେଲିକପ୍ଟର୍ର୍ସ’ ସହ ଯୋଗାଯୋଗ ସମ୍ଭବପର ହୋଇ ନାହିଁ ।