ଶ୍ରୀଲଙ୍କାକୁ ଯେତେ ଅଧିକ ସମ୍ଭବ ସାହାଯ୍ୟ କରନ୍ତୁ; ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ଶ୍ରୀଲଙ୍କାର ବିରୋଧୀ ଦଳର ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ଦିନକୁ ଦିନ ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇ ପଡ଼ିଛି । ପ୍ରତ୍ୟେକ ଜିନିଷର ଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏନେଇ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆକ୍ରଷ ମନଭାବ ଦେଖାଦେବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀଲଙ୍କାର ବିରୋଧୀ ଦଳର ନେତା ସଜିତ ପ୍ରେମଦାସା ଆଜି ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ଦୟାପୂର୍ବକ ଶ୍ରୀଲଙ୍କାକୁ ଯେତେ ଅଧିକ ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଶ୍ରୀଲଙ୍କା ଆମର ମାତୃଭୂମି। ମାତୃଭୂମିକୁ ରକ୍ଷା କରିବା ଆମର କର୍ତ୍ତବ୍ୟ। ଶ୍ରୀଲଙ୍କାରେ ନୂଆ ଧରଣର ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ। ଏହି ପରିବର୍ତ୍ତନ ଶ୍ରୀଲଙ୍କାବାସୀଙ୍କୁ ଆଶ୍ବସ୍ତି ଦେବ, ରାଜନେତାମାନଙ୍କୁ ନୁହେଁ। ସେ କହିଛନ୍ତି, ରାଜନୀତି ‘ମ୍ୟୁଜିକ୍ ଚେୟାର୍’ ଭଳି ଖେଳ ନୁହେଁ ଯେ, ରାଜନେତାମାନେ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରି ପକାଇବେ। ସେପଟେ, ଜାତୀୟ ସଙ୍କଟର ସମାଧାନ ଉପାୟ ବାହାର କରିବା ଲାଗି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ମିଳିତ ସରକାରରେ ଯୋଗ ଦେବାକୁ ବିରୋଧୀ ଦଳମାନଙ୍କୁ ଆମନ୍ତ୍ରଣ କରିଛନ୍ତି।

ସାମ୍ପ୍ରତିକ ସଙ୍କଟ ପାଇଁ କେତେକ ଅର୍ଥନୈତିକ ଏବଂ ବୈଶ୍ବିକ କାରଣ ଦାୟୀ ବୋଲି ସବୁ ରାଜନୈତିକ ଦଳମାନଙ୍କୁ ଲେଖିଥିବା ପତ୍ରରେ ରାଜପକ୍ଷେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏସିଆର ଅନ୍ୟତମ ଅଗ୍ରଣୀ ଗଣତନ୍ତ୍ର ହୋଇଥିବାରୁ ଗଣତାନ୍ତ୍ରିକ ଉପାୟରେ ଏହି ସଙ୍କଟର ସମାଧାନ କରାଯିବା ଉଚିତ। ନାଗରିକ ଓ ଭବିଷ୍ୟତ ପିଢ଼ିଙ୍କ ଉପକାର ନିମନ୍ତେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀଲଙ୍କାର ବିରୋଧୀ ଦଳର ନେତା ସଜିତ ପ୍ରେମଦାସା କହିଛନ୍ତି । ଅନ୍ୟପଟେ ୧୯୪୮ରେ ସ୍ବାଧୀନ ହୋଇଥିବା ଦ୍ବୀପଦେଶ ଶ୍ରୀଲଙ୍କାରେ ପୂର୍ବରୁ କେବେ ଏତେ ଉତ୍କଟ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ଦେଶର ବୈଦେଶିକ ମୁଦ୍ରା ରିଜର୍ଭ ନିଃଶେଷ ହୋଇ ଆସୁଥିବା ବେଳେ ଖାଦ୍ୟ ଓ ଇନ୍ଧନର ଘୋର ଅଭାବ ଦେଖା ଦେଇଛି। ଲୋକମାନେ ମଧ୍ୟ ଏନେଇ ବାରମ୍ବାର ଆନ୍ଦୋଳନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts