
କଟକ: ହାଇକୋର୍ଟ ସୋମବାର ଦୁଇ ଦୁଇଟି ନିର୍ବାଚନ ଅନିୟମିତତା ମାମଲାକୁ ଗ୍ରହଣ କରିଛନ୍ତି । ଲକ୍ଷ୍ମୀପୁର ଓ ସାନଖେମୁଣ୍ଡି ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଆବେଦନ ହୋଇଛି । ଯାହାର ଶୁଣାଣୀ କରିବାକୁ ହାଇକୋର୍ଟ ସହମତି ପ୍ରକାଶ କରିବା ସହିତ ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲକ୍ଷ୍ମୀପୁର ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିବା କୈଳାଶ ଚନ୍ଦ୍ର କୁଲେସିକା ନିର୍ବାଚନ ଅନିୟମତିତା ଅଭିଯୋଗ ଆଣିଛନ୍ତି । ଯାହାକୁ କୋର୍ଟ ଗ୍ରହଣ କରି ପ୍ରତିପକ୍ଷ ବିଧାୟକ ପ୍ରଭୁ ଜାନି ଓ ଅନ୍ୟମାନଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ମାମଲାର ପକ୍ଷଭୁକ୍ତ ଥିବାରୁ ନୋଟିସ୍ ଜାରି କରିଛନ୍ତି କୋର୍ଟ ।
ସେହିପରି ସାନଖେମୁଣ୍ଡି ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି । ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିବା ସହିତ ବିଧାୟକ ରମେଶ ଜେନା ଓ ଅନ୍ୟ ପରାଜିତ ପ୍ରାର୍ଥୀଙ୍କୁ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ନଭେମ୍ବର ୫ ରେ ଏହି ମାମଲାର ଶୁଣାଣୀ କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।