ହିଜାବ ବିବାଦ: ମୁସଲମାନଙ୍କୁ ଉସକାଇବାକୁ ଚେଷ୍ଟା କଲା ଆତଙ୍କବାଦୀ ସଂଗଠନ ଅଲ କାଏଦା ମୁଖ୍ୟ ଆୟାମାନ ଉଲ ଜୱାହିରୀ

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଦେଖାଯାଇଥିବା ହିଜାବ ବିବାଦ ଏବେ ଥମିଥିବା ବେଳେ, ଆତଙ୍କବାଦୀ ସଂଗଠନ ଅଲ କାଏଦାର ମୁଖ୍ୟ ଆୟାମାନ ଉଲ ଜୱାହିରୀ ହିଜାବ ବିବାଦକୁ ଆଧାର କରି ଭାରତୀୟ ମୁସଲମାନଙ୍କୁ ଉସକାଇବାକୁ ଚେଷ୍ଟା କରିଛି। ହିଜାବ ବିବାଦକୁ ନେଇ ଚାଲିଥିବା ଅତ୍ୟାଚାର ବିରୋଧରେ ସମସ୍ତେ ସ୍ୱର ଉଠାନ୍ତୁ ବୋଲି ସେ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରିଛି |

ଅଲକାଏଦାର ଅଫିସିଆଲ ଶାହାବାଜ ମିଡିଆ ପକ୍ଷରୁ ଜୱାହିରୀର ଗୋଟିଏ ୯ ମିନିଟର ଭିଡିଓ ଜାରି କରାଯାଇଛି। ଏଥିରେ ସେ କର୍ଣ୍ଣାଟକାର କଲେଜ ଛାତ୍ରୀ ମୁସ୍କାନ ଖାନଙ୍କୁ ପ୍ରଶଂସା କରିଛି। ମୁସ୍କାନ ବୁର୍ଖାରେ ଥିବା ବେଳେ ତାଙ୍କୁ କିଛି ଗେରୁଆ ଉତରୀୟ ପକାଇଥିବା ଛାତ୍ର କମେଣ୍ଟ କରି ଜୟ ଶ୍ରୀରାମ ନାରା ଦେଇଥିଲେ।

ଏହାକୁ ବିରୋଧ କରି ସେ ଆହ୍ଲା ହୁ ଆକବର ନାରା ଦେଇଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ମୁସ୍କାନ ଦୃଢ଼ ଜବାବ ଦେଇଥିବାରୁ ଜୱାହିରୀ ତାଙ୍କୁ ପ୍ରଶଂସା କରିଛି। ସେ ଭିଡିଓରେ ମୁସ୍କାନଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛି। ଭାରତରେ ମୁସଲମାନମାନଙ୍କୁ ଦମନ କରୁଥିବା ଅଭିଯୋଗ କରି ଜାୱାହିରୀ ସମସ୍ତ ଇସଲାମ ଧର୍ମାବଲମ୍ବୀଙ୍କୁ ଏହା ବିରୋଧରେ ସ୍ୱର ଉଠାଇବାକୁ ଉସକାଇଛି।

ଜୱାହିରୀ ଭିଡିଓରେ ମୁସ୍କାନଙ୍କୁ ପ୍ରଶଂସା କରି ଗୋଟିଏ କବିତା ମଧ୍ୟ ପାଠ କରିଛି। ସେ କହିଛି, “ବିଭିନ୍ନ ସ୍ଥାନରେ ଥିବା ଭିଡିଓ ଓ ସୋଶାଲ ମିଡିଆରୁ ମୁସ୍କାନ ଖାନଙ୍କ ବିଷୟରେ ଜାଣିବାକୁ ପାଇଛି। ଭଉଣୀଙ୍କ ଏପରି ଆଚରଣ ବେଶ ପ୍ରଶଂସନୀୟ। ସେ ତକବୀର ନାରା ଦେଇ ସମସ୍ତଙ୍କୁ ଚୁପ କରିଛନ୍ତି। ଏଥିପାଇଁ ମୁଁ ତାଙ୍କ ପାଇଁ ଗୋଟିଏ କବିତା ରଚନା କରିଛି।”

ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ କାଏଦାର କମାଣ୍ଡର ଥିବା ଜୱାହିରୀ ସଂଗଠନର ମୁଖିଆ ହୋଇଥିଲା। ୨୦୨୦ରେ ସେ ପ୍ରାଣ ହରାଇଥିବା ଖବର ମିଳିଥିଲେ ମଧ୍ୟ ଅଲକାଏଦା ଏହାକୁ ଖଣ୍ଡନ କରିଥିଲା।

Related Posts