ୟୁକ୍ରେନରେ ରୁଷର ନରସଂହାରକୁ ଭାରତର ନିନ୍ଦା

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ସେନା ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ କରି ଚାଲିଛନ୍ତି | ୟୁକ୍ରେନ ଉପରେ ଲଗାତାର ଭାବେ ରକେଟ, ବୋମା, ଓ ଗୁଳି ମଦ ହେଉଛି | ଫଳରେ ଏହି ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି | ସେପଟେ ଏହି ନରସଂହାର ଘଟଣାକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ନିନ୍ଦା କରିଛି। ଏଥିସହ ବିଶ୍ୱର ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକଙ୍କ ଭଳି ଭାରତ ମଧ୍ୟ ପୂରା ଘଟଣାର ନିରପେକ୍ଷ ତଦନ୍ତ ସପକ୍ଷରେ ମତ ରଖିଛି। ଆମେରିକା ନେତୃତ୍ୱରେ ପଶ୍ଚିମ ଦେଶଗୁଡ଼ିକ ଏପରି ନରସଂହାର ପଛରେ ରୁଷର ହାତ ଥିବା ଅଭିଯୋଗ କରିଛନ୍ତି।

ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସୁରକ୍ଷା ପରିଷଦକୁ ସମ୍ବୋଧନ କରିବା ବେଳେ ବୁଚା ନରସଂହାର ଓ ରୁଷ ବର୍ବରତା କଥା ବଖାଣିଥିଲେ। ରୁଷ କେମିତି ଶହଶହ ଲୋକଙ୍କୁ ହତ୍ୟା କରି ରାସ୍ତାରେ ଫୋପାଡ଼ିଛି, ତା’ର ଭିଡିଓ ମଧ୍ୟ ସେ ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଜେଲେନସ୍କି ଓ ପଶ୍ଚିମ ଦେଶଗୁଡ଼ିକର ଏପରି ଅଭିଯୋଗକୁ ରୁଷ ଖଣ୍ଡନ କରିଛି।

ଭାରତ ସାଧାରଣ ଲୋକଙ୍କ ହତ୍ୟାକୁ ସୁରକ୍ଷା ପରିଷଦରେ ନିନ୍ଦା କରିବା ସହ ରୁଷ ବିରୋଧରେ ସିଧାସଳଖ କିଛି ବି କହିନାହିଁ। କିନ୍ତୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତୀ ନିରପେକ୍ଷ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।

ଚାଇନା ଏପରି ନରସଂହାରକୁ ନିନ୍ଦା କରିନାହିଁ। ହେଲେ ବୁଚାରୁ ଆସିଥିବା ଫଟୋ ଅତ୍ୟନ୍ତ ବିଚଳିତ କରୁଥିବା କଥା କହିଛି। ଏଥିସହ ବିବାଦରୁ ସମସ୍ତେ ଦୂରେଇ ରୁହନ୍ତୁ ଓ କେହି କାହାକୁ ଅଯଥାରେ ଅଭିଯୁକ୍ତ ସଜାନ୍ତୁ ନାହିଁ ବୋଲି ଚାଇନା ପ୍ରତିନିଧି କହିଛନ୍ତି।

ୟୁକ୍ରେନ ଉପରେ ହେଉଥିବା ଆଲୋଚନାରେ ଭାଗ ନେଇ ଭାରତର ଟିଏସ ତିରୁମୂର୍ତ୍ତୀ କହିଛନ୍ତି, ସୁରକ୍ଷା ପରିସ୍ଥିତ ସହ ମାନବୀୟ ସଙ୍କଟ କେବଳ ଦିନକୁ ଦିନ ସଙ୍କଟ ମଧ୍ୟ ଯାଉଛି। ବୁଚାରେ ସାଧାରଣ ଲୋକଙ୍କ ହତ୍ୟା ସମସ୍ତଙ୍କୁ ବିଚଳିତ କରୁଛି। ଆମେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ନିନ୍ଦା କରୁଛୁ।

ଏଥିସହ ପୂରା ଘଟଣାର ନିରପେକ୍ଷ ତଦନ୍ତକୁ ସମର୍ଥନ କରୁଛୁ। ବିଗୁଡ଼ୁ ଥିବା ସ୍ଥିତିକୁ ନେଇ ଭାରତ ଚିନ୍ତିତ। ଏଥିସହ ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ପୁଣିଥରେ ସବୁ ପକ୍ଷଙ୍କୁ ପରାମର୍ଶ ଦେଉଛି। ମାନବୀୟ କାର୍ଯ୍ୟକ୍ରମ ସବୁବେଳେ ମାନବୀୟ ସହାୟତା ନୀତିରେ କରାଯିବା ଦରକାର। ମାନବିକତା, ନିରପେକ୍ଷତା ଓ ସ୍ୱାଧୀନ ନୀତିକୁ କାଏମ ରଖାଯାଉ। ଏହାକୁ କେବେ ହେଲେ ରାଜନୀତିକ ରଙ୍ଗ ଦିଆ ନଯାଉ।

ଜାତିସଂଘରେ ବର୍ତ୍ତମାନ ସ୍ଥିତି ପାଇଁ କେବଳ ରୁଷକୁ ଦାୟୀ କରି ଆସିଥିବା ସଂକଳ୍ପରେ ଭାରତ ଏକମତ ନୁହେଁ। ଏଥିପାଇଁ ଭାରତ ଭୋଟ ଦାନରୁ ବିରତ ରହିବାକୁ ନିଷ୍ପତ୍ତି ନେଇଛି। ଭାରତ ସବୁବେଳେ ପୂରା ଘଟଣାର ନିରପେକ୍ଷ ତଦନ୍ତ ସପକ୍ଷରେ ରହିଛି।

Related Posts