ହିଜାବ ମୁସଲମାନଙ୍କର ଏକ ଜରୁରୀ ଧାର୍ମିକ ପ୍ରଥା, ଏହା ଆମ ସଂସ୍କୃତି ଓ ଅଧିକାର: ଅସାଦୁଦ୍ଦିନ ଓୱେସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ଗସ୍ତ ଅବସରରେ ଜୟପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଏଆଇଏମ୍ଆଇଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ହାଇଦ୍ରାବାଦର ସାଂସଦ ଅସାଦୁଦ୍ଦିନ ଓୱେସି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ହିଜାବ ମୁସଲମାନ ମାନଙ୍କର ଏକ ଜରୁରୀ ଧାର୍ମିକ ପ୍ରଥା ଓ ଆମ ସଂସ୍କୃତି ଆମର ଅଧିକାର। ଯଦି ସରକାରୀ ବିଦ୍ୟାଳୟରେ ଅନ୍ୟ ଧାର୍ମିକ ପ୍ରତୀକମାନଙ୍କୁ ଅନୁମତି ଦିଆଯାଉଛି, ତେବେ ଆମର ଧର୍ମକୁ କାହିଁକି ନୁହେଁ? ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ ରାଜସ୍ଥାନରେ ନିର୍ବାଚନ ଲଢ଼ିବା ପ୍ରଶ୍ନର ଉତ୍ତର ଦେଇ ଓୱେସି କହିଛନ୍ତି ଯେ, ରାଜନୀତିରେ ସବୁବେଳେ ପ୍ରତିଯୋଗିତା ହେବ। ଆମେ ଏଠାକୁ ଜିତିବାକୁ ଆସିଛୁ। ଆମେ ରାଜ୍ୟରେ ଆମ ଦଳର କାର୍ଯ୍ୟର ମୂଲ୍ୟାଙ୍କନ କରିବୁ, ରାଜସ୍ଥାନ ନିର୍ବାଚନ ପାଇଁ ମତାମତ ଗ୍ରହଣ କରିବୁ। ପୁରୁଷ ପ୍ରାର୍ଥୀଙ୍କ ସହିତ ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ରାଜସ୍ଥାନରେ ସମାନ ପ୍ରତିନିଧିତ୍ୱ ଦିଆଯିବ ବୋଲି ଓୱେସି କହିଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ଠାରୁ ଏଆଇଏମ୍ଆଇଏମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସଦୁଦ୍ଦିନ ଓୱେସିଙ୍କ ରାଜସ୍ଥାନ ଗସ୍ତ ଆରମ୍ଭ ହୋଇଛି। ଏହି ଗସ୍ତ ସମୟରେ ଓୱେସି ରାଜସ୍ଥାନରେ ଦୁଇ ଦିନ ରହିବେ। ଏହି ସମୟରେ ସେ ଅନେକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଓୱେସି ଏହି ସମୟ ମଧ୍ୟରେ ଜୟପୁର ଓ ସିକର ଅଞ୍ଚଳ ପରିଦର୍ଶନ କରିବେ।

Related Posts