ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୫୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର

ଭୁବନେଶ୍ୱର୧୯/୧୨(ସତ୍ୟପାଠ ବ୍ୟୁରୋ): ଗ୍ୟାସ୍‌ ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଥିବା ବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏକ ବଡ ଖୁସି ଖବର। ଆସନ୍ତା ଏପ୍ରିଲ ମାସରୁ ଗ୍ୟାସ ସିଲିଣ୍ଡରର ଦର କମାଇବା ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର।

ହେଲେ ଏହି ସୁବିଧା କେବଳ ରାଜ୍ୟର ଦାରିଦ୍ର୍ୟ ସୀମାରେଖାତଳେ ରହୁଥିବା ହିତାଧିକାରୀଙ୍କୁ ମିଳିବ। ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ଏହି ସୁବଧା ମିଳିବ। ରାଜସ୍ଥାନରେ ଚାଲିଥିବା ଭାରତ ଯୋଡ ଯାତ୍ରା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଏହି ଘୋଷଣା କରିଛନ୍ତି।

ଏହି ଅବସରରେ ବିଜେପିକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ମାସରେ ବଜେଟ୍ ପାଇଁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ, ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି ଯେ, ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲପିଜି ସଂଯୋଗ ଏବଂ ଗ୍ୟାସ ଚୁଲା ଦେଉଛନ୍ତି । କିନ୍ତୁ ସିଲିଣ୍ଡର ଖାଲି ରହୁଛି। କାରଣ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୪୦ ଟଙ୍କା ଛୁଇଁଲାଣି, ଯାହା ସାଧାରଣ ଲୋକଙ୍କ ପାଇଁ ଅସମ୍ଭାଳ ହେଲାଣି ବୋଲି ଗେହଲଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏଭଳି ଘୋଷଣା କରାଯାଇଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

Related Posts