‘ହିମାଚଳ ପରାଜୟର ସମୀକ୍ଷା ହେବ, ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଦଳ’: ଜେପି ନଡ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ଆସିଛି ଦୁଇଟି ରାଜ୍ୟର ବିଧାନସଭା ଫଳ। ତେବେ ଗୁଜୁରାଟରେ ବିଜେପି ନିଜ ଦବଦବା ଜାହିର କରିବା ସହିତ ପୁଣି ସରକାରକୁ ଫେରିଛି । ହେଲେ ଦଳ ହାତରୁ ଖସି ଯାଇଛି ହିମାଚଳ। ଏଠାରେ କଂଗ୍ରେସକୁ ବହୁମତ ମିଳିଛି। ତେବେ କୁହାଯାଉଛି ହିମାଚଳ ବିଜେପିରେ ଏକାଧିକ ନେତାଙ୍କ ବିଦ୍ରୋହ ଯୋଗୁ ଦଳକୁ ଏଠାରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ତେବେ ଦଳର ନିର୍ବାଚନ ପରିଚାଳନାରେ ଦଳଭିତରେ କେଉଁଠି ତ୍ରୁଟି ରହିଲା ଖୋଜିବା ଆରମ୍ଭ କରିଛି ଦଳ। ସେହିପରି ଦଳ ଭିତରେ ରହି କେଉଁ ମାନେ ଆତ୍ମଘାତୀ ଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି ଦଳ। ଏନେଇ ନିଜର ମତ ରଖିଛନ୍ତି ବିଜେପି ରାଷ୍ଟ୍ରୟୀ ଅଧ୍ୟକ୍ଷ ଜେପି ନଡ୍ଡା। ସେ କହିଛନ୍ତି ଯେ, ଦଳ ହିମାଚଳ ପରାଜୟ ର ସମୀକ୍ଷା କରିବ। ଦଳ ଭିତରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦଳ।

ସେ ଆହୁରି କହିଛନ୍ତି ଯେ, ଗୋଟିଏ ନକରାତ୍ମକ ଟ୍ରେଣ୍ଡ ତିଆରି ହେଲେ ଏହା ବଢ଼ିଯାଏ । ଆମକୁ ଏହାକୁ ସମାପ୍ତ କରିବାକୁ ପଡିବ। ଯେତେବେଳେ ଆମେ ଜଣେ ବିଦ୍ରୋହୀ ନେତାଙ୍କୁ ଆମେ ଦଳକୁ ଫେରାଇ ଆଣୁ ଏହା ଏକ ଭୁଲ ବ୍ୟବସ୍ଥାକୁ ଜନ୍ମ ଦିଏ। ସେଭଳି ନେତାଙ୍କୁ ଫେରା ଆଣିବାକୁ ଆମକୁ ସତର୍କ ହେବାକୁ ପଡ଼ିବ। ଆମକୁ ଭବିଷ୍ୟତ ପାଇଁ ଧିକ ଯତ୍ନଶୀଳ ହେବାକୁ ପଡ଼ିବ ବୋଲି ଜେପି ନଡ୍ଡା କରିଛନ୍ତି। ହିମାଚଳ ପ୍ରଦେଶରେ କଂଗ୍ରେସ ୪୦ଟି ଆସନରେ ବିଜୟୀ ହୋଇ ସରକାର ଗଢିବା ନିଶ୍ଚିତ କରିଛି ।

ବିଜେପି ୨୫ଟି ଆସନରେ ବିଜୟ ହାସଲ କରି ବିରୋଧୀ ଦଳରେ ରହିବ । ଜନାଦେଶକୁ ସ୍ୱୀକାର କରାଯିବା ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଇସ୍ତଫା ଦେଇଛନ୍ତି ।ରାଜ୍ୟରେ କଂଗ୍ରେସ ୪୩.୯୦ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୪୩ ପ୍ରତିଶତ ଭୋଟ ପାଇଛି । ୫ ବର୍ଷରେ ଥରେ ସରକାର ବଦଳିବା ହିମାଚଳ ପ୍ରଦେଶର ପରମ୍ପରା ରହିଥିଲା । ଯଦି ବିଜେପି ଏଠାରେ ବିଜୟୀ ହୋଇଥାନ୍ତା ତେବେ ଇତିହାସ ସୃଷ୍ଟି ହୋଇଥାନ୍ତା । ହେଲେ କଂଗ୍ରେସ ବିଜୟୀ ହୋଇ ପୁଣି ଇତିହାସ ଦୋହରାଇଛି ।

Related Posts