‘ସୀମାରେ ହିମବୀର ଜଗିଛନ୍ତି, ଇଞ୍ଚେ ବି ଜାଗା ଚୀନ ନେଇପାରିବ ନାହିଁ’: ଅମିତ୍ ଶାହା

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ଭାରତ ଓ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି ବୀରତ୍ୱର ମନ୍ତବ୍ୟ। ଶନିବାର ସେ କହିଛନ୍ତି ଯେ, କାହାର ସାହସ ନାହିଁ ସେ ଭାରତର ସୀମାରେ ଅନୁପ୍ରବେଶ କରି ପାରିବ। ଶାହ କହିଛନ୍ତି ଯେ, ମୋତେ ଭାରତ-ଚୀନ୍‌ ସୀମାକୁ ନେଇ ଆଦୌ ଚିନ୍ତା ନାହିଁ। ଏହାର କାରଣ ହେଉଛନ୍ତି ଆଇଟିବିପିର ଯବାନ, ଯାହାଙ୍କୁ ଆମେ ହିମବୀର ମଧ୍ୟ କହିଥାଉ। ଆଇଟିବିପିର ଯବାନ ସୀମାରେ ଜଗି ରହିଛନ୍ତି, ସେଠାରେ କ୍ୟାମ୍ପ କରୁଛନ୍ତି ତ କାହାର ବି ସାହସ ନାହିଁ ସୀମାରେ ଏକ ଇଞ୍ଚ ଭୂମି କବଜା କରି ପାରିବ। ଏହି ମନ୍ତବ୍ୟ ଗୃହମନ୍ତ୍ରୀ ଅମିତ ଶାହ ବେଙ୍ଗାଲୁରୁର ଦେବନହାଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। ଏହି ସମୟରେ ସେ ଆଇଟିବିପି ଓ ବିପିଆରଏଣ୍ଡଡି ପାଇଁ ବିଭିନ୍ନ ପ୍ରୋଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ।

ଏହି ଅବସରରେ ଅମିତ ଶାହ କହିଛନ୍ତି ଯେ, ଆଇଟିବିପି ସବୁ ସୁରକ୍ଷା ବଳଙ୍କ ମଧ୍ୟରେ ସବୁଠୁ ଦୁର୍ଗମ ଅବସ୍ଥାରେ ସୁରକ୍ଷା ଦେଉଥିବା ଫୋର୍ସ। ଆମେ କଳ୍ପନା କରିପାରିବା ନାହିଁ ଯେ, ମାଇନସ ୪୨ ଡିଗ୍ରୀ ତାପମାତ୍ରାରେ ଦେଶର ସୁରକ୍ଷା କରୁଛନ୍ତି। ଏଥିପାଇଁ ଦୃଢ଼ ମନୋବଳ ଓ ଉଚ୍ଚ ସ୍ତରର ଦେଶଭକ୍ତି ଥିଲେ ଯାଇ ଏହା ସମ୍ଭବ ହୋଇପାରିବ। କେନ୍ଦ୍ରୀୟ ଗୃହମନ୍ତ୍ରୀ ଏହି ସମୟରେ ଯବାନଙ୍କୁ ଖୁବ୍‌ ପ୍ରଶଂସା କରିବା ସହ ସେମାନଙ୍କର ମନୋବଳ ବଢ଼ାଇ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ତୱାଙ୍ଗରେ ଭାରତ ଓ ଚୀନର ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ଭାରତୀୟ ଯବାନମାନେ ଚୀନ୍‌ର ସୈନିକଙ୍କୁ ସେଠାରୁ ତଡ଼ିଥିଲେ।କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଛନ୍ତି ଯେ, ଆଇଟିବିପି ନିଜର ପ୍ରତିଷ୍ଠା ସମୟରୁ ବିଷମ ଭୌଗୋଳିକ ପରିସ୍ଥିତିଗୁଡ଼ିକ ମଧ୍ୟରେ ମୁସ୍କିଲ ପାଣିପାଗ ସହ ଲଢ଼ିଥାନ୍ତି। କଠିନରୁ କଠିନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି। ଆଇଟିବିପିର ଯବାନଙ୍କର ଏଭଳି ପରାକାଷ୍ଠା ପାଇଁ ତାଙ୍କୁ ଭାରତର ଜନତା ହିମବୀର କହି ଡ଼ାକିଥା’ନ୍ତି।

Related Posts