ହିନ୍ଦୁତ୍ୱ କୌଣସି ‘ଫେୟାର ଆଣ୍ଡ ଲଭଲି କ୍ରିମ’ ନୁହେଁ: କହ୍ନେୟା କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିନ୍ଦୁତ୍ୱ କୌଣସି ‘ଫେୟାର ଆଣ୍ଡ ଲଭଲି କ୍ରିମ’ ନୁହେଁ । ହିନ୍ଦୁତ୍ୱକୁ ନେଇ କଂଗ୍ରେସର ଯୁବ ନେତା କହ୍ନେୟା କୁମାର କିଛି ଏଭଳି ବୟାନ ଦେଇଛନ୍ତି । ଆଉ ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ, ହିନ୍ଦୁତ୍ୱ କୌଣସି ଫେୟାର ଆଣ୍ଡ ଲଭଲି କ୍ରିମ୍ ନୁହେଁ ଯେ ଶୀତଦିନେ ଓଠ ଏବଂ ପାଦରେ ପୃଥକ ଭାବରେ ଲଗାଇବାକୁ ପଡିବ ।କହ୍ନେୟା କହିଛନ୍ତି ଯେ, ହିନ୍ଦୁତ୍ୱ ଏକ ବିଚାରଧାରା । ଏହା ଏକ ରାଜନୈତିକ ଚିନ୍ତାଧାରା | ଶୁକ୍ରବାର ଦିନ ମହାରାଷ୍ଟ୍ରର ନାନ୍ଦେଡରେ ଚାଲିଥିବା ଭାରତ ଯୋଡ ଯାତ୍ରା ସମୟରେ କହ୍ନେୟା କୁମାର ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଏଭଳି କହିଛନ୍ତି।

ଏହି ଅବସରରେ କହ୍ନେୟା କୁମାର କହିଛନ୍ତି ଯେ, ‘ଯେଉଁ ହିନ୍ଦୁତ୍ୱକୁ ଆଜି ହ୍ୱାଟ୍ସଆପ୍ ମାଧ୍ୟମରେ ବୁଝାଯାଉଛି ଏବଂ ଏହାକୁ ଯେଭଳି ଉପସ୍ଥାପିତ କରାଯାଉଛି | ଏହା ଭିନ୍ନ ଓ ଏଥିରେ କେବଳ ବିଷ ଅଛି। ବିଷ ସବୁବେଳେ ବିଷ ହୋଇଥାଏ, ତାହା ବଡ ସାପର ହେଉ କି ଛୋଟ ସାପର ହେଉ। ସେହିଭଳି ହିନ୍ଦୁତ୍ବକୁ ନେଇ ପ୍ରତିଦିନ କିଛି ନା କିଛି ମିଥ୍ୟା କଥା ପ୍ରଚାର କରାଯାଉଛି। ଧର୍ମ ନାମରେ ପରସ୍ପର ସହ ଲଢେଇ ସୃଷ୍ଟି କରୁଥିବା କୌଣସି ବିଚାରଧାରାକୁ ଧାର୍ମିକ କୁହାଯାଇପାରିବ ନାହିଁ। ଧର୍ମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମାନବଜାତିର ମୁକ୍ତି।

କହ୍ନେୟା ଆହୁରି କହିଛନ୍ତି ଯେ, ଗତ ୪୫ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ବେକାରୀ ସମସ୍ୟା ରହିଛି। ଆମର ସାର୍ବଜନୀନ କ୍ଷେତ୍ର ପ୍ରତିଦିନ ବିକ୍ରି ହେଉଛି | ସେ କହିଛନ୍ତି, ‘ଦେଖନ୍ତୁ ଏଲଆଇସିରେ ଆଦାନୀଙ୍କ କେତେ ଅଂଶ ଅଛି ଏବଂ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାକୁ ଯାଉଛନ୍ତି। ଆପଣଙ୍କ ଟଙ୍କା ନେଇ କେହି ଧନୀ ହେଉଛନ୍ତି ଏବଂ ଆପଣଙ୍କ ପିଲାମାନଙ୍କୁ ଚାକିରି ମିଳୁନାହିଁ | ଏହାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି।

Related Posts