ଗୃହକୁ ତଥ୍ୟ ଦେଉନି ଗୃହ ବିଭାଗ

ଭୁବନେଶ୍ୱର: ଗୃହକୁ ବିଭ୍ରାନ୍ତି କରୁଛି ଗୃହ ବିଭାଗ। ମହିଳା ବିରୋଧୀ ହିଂସାର ଟେର ପାଉନାହାନ୍ତି ରାଜ୍ୟ ସରକାର। ରାଜ୍ୟରେ କେତେ ମହିଳା ବିରୋଧୀ ହିଂସା ହୋଇଛି ସରକାରଙ୍କୁ ଜନାହିଁ। ଏନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ 5ଟି ଏବଂ ମୋ ସରକାରର ଆଳ ଦେଖାଉଛି ଗୃହ ବିଭାଗ।

ରାଜ୍ୟରେ ମହିଳା ବିରୋଧୀ ହିଂସା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗୃହ ବିଭାଗର ନିଦ ଭାଙ୍ଗୁନି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗ ମହିଳା ବିରୋଧୀ ହିଂସା ଉପରେ ନିୟନ୍ତ୍ରଣ ରଖିବା ତ ଦୂରର କଥା ରାଜ୍ୟରେ କେଉଁସବୁ ସ୍ଥାନରେ କେତେ ମହିଳାବିରୋଧୀ ହିଂସା ଓ ନିର୍ଯାତନା ହୋଇଛି ତା’ର ମଧ୍ୟ ଡାଟାବେସ୍ ରଖିନାହିଁ। ଓଲଟା ‘ଫାଇଭ-ଟି’ ଓ ‘ମୋ ସରକାର’ର ସ୍ଲୋଗାନ ଦେଇ ପୋଲିସ ବିଭାଗର କାର୍ଯ୍ୟ କରିବାର ଶୈଳୀରେ ସୁଧାର ଆସିଛି ବୋଲି ସରକାରୀସ୍ତରରେ ପ୍ରଚାର କରାଯାଉଛି। ମହିଳା ବିରୋଧୀ ହିଂସା ପ୍ରତି ଗୃହ ବିଭାଗ କେତେ ସମ୍ବେଦନଶୀଳ ତା’ର ପ୍ରମାଣ ବିଧାନସଭାରେ ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସରକାର ଦେବା ପରିବର୍ତ୍ତେ ତଥ୍ୟ ସଂଗ୍ରହ ଆଳ ଦେଖାଇ ଖସିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ମହିଳା ହିଂସା ବିରୋଧୀ ହିଂସା ନେଇ ବିଜେଡି ବିଧାୟକ ସୁଧୀର କୁମାର ସାମଲ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ।
ବିଜେଡି ବିଧାୟକ ଶ୍ରୀ ସାମଲଙ୍କ ପ୍ରଶ୍ନ ଥିଲା ‘ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ କେତେ ଲୋକେ ଆତ୍ମହତ୍ୟା କରିଛନ୍ତି ଓ ସେଥିରେ ମହିଳାଙ୍କ ସଂଖ୍ୟା କେତେ ତା’ର ଜିଲ୍ଲାୱାରି ଓ ବର୍ଷୱାରି ତାଲିକା ସହ ଆତ୍ମହତ୍ୟା ପ୍ରବଣତାକୁ ହ୍ରାସ ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ କହିଥିଲେ। କିନ୍ତୁ ରାଜ୍ୟ ସରକାର ଆତ୍ମହତ୍ୟା ଓ ଅନ୍ୟାନ୍ୟ ଅପରାଧ ସଂକ୍ରାନ୍ତରେ ତଥ୍ୟକୁ ପ୍ରତିବର୍ଷ ଶ୍ୱେତପତ୍ର ମାଧ୍ୟମରେ ଜାରି କରୁଥିଲେ ବି ଏହି ତଥ୍ୟ ଦେଇଁଥିଲେ।
ସେହିପରି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ରାଜ୍ୟରେ କ୍ରମାଗତ ନାବାଳିକା ଓ ଶିଶୁ କନ୍ୟାଙ୍କ ସହ ଦୁଷ୍କର୍ମ ଓ ଗଣଦୁଷ୍କର୍ମ କାହିଁକି ହେଉଛି ଓ ୨୦୧୪ ମସିହା ପରଠୁ ଏସବୁ ଜଘନ୍ୟ ଅପରାଧର ପରିସଂଖ୍ୟାନ ମାଗିବା ସହ ଏଭଳି ଅପରାଧୀଙ୍କ ମଧ୍ୟରୁ କେତେ ଧରାପଡ଼ିଛନ୍ତି, କେତେ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି ଓ କେତେ ଶାସ୍ତି ପାଇଛନ୍ତି ତାହା ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କହିଥିଲେ। ମାତ୍ର ଏହି ଦୁଇଟି ଯାକ ପ୍ରଶ୍ନର ଉତ୍ତର ବିଧାନସଭାରେ ରଖିବା ପରିବର୍ତ୍ତେ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ‘ତଥ୍ୟ ସଂଗ୍ରହ କରାଯାଉଛି’ ବୋଲି ଆଳ ଦେଖାଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଅପରାଧର ତଥ୍ୟଗୁଡ଼ିକର କମ୍ପୁଟରୀକୃତ ଡାଟାବେସ୍ ପ୍ରସ୍ତୁତ କରାଯାଉଥିବାବେଳେ ଏସବୁ ତଥ୍ୟକୁ ବିଧାନସଭାରେ ଉପସ୍ଥାପିତ କରିବାରେ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି। କେବଳ ଦୁଷ୍କର୍ମ କିମ୍ବା ଆତ୍ମହତ୍ୟାର ତଥ୍ୟ ନୁହେଁ ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ବିଜେଡି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ “ଜିରୋ-ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକ୍ରମ ପ୍ରଶାସନିକ ସେବା ସ୍ତରରେ କ’ଣ ପ୍ରଭାବ ପକାଇଛି ବୋଲି” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ବି ସେୟା ଦେଇଥିଲେ ଦିବ୍ୟଶଙ୍କର। ଆଉ କହିଥିଲେ ତଥ୍ୟ ସଂଗ୍ରହ କରାଯାଉଛି।

Related Posts