ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀଙ୍କ ତାଲିକାକୁ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ଅମିତ ଶାହା ନିଜେ ଅନେକ ସମ୍ପ୍ରଦାୟର ଲୋକାମାନଙ୍କୁ ଭେଟିବା ସହ ଦ୍ୱାର ଦ୍ୱାର ଅଭିଯାନ ଏବଂ ପଶ୍ଚିମ ୟୁପିର ଅନେକ ଜିଲ୍ଲା ପରିଦର୍ଶନ କରିଛନ୍ତି । ହେଲେ ବର୍ତ୍ତମାନ ତାଙ୍କ ଦ୍ୱାରରୁ ଦ୍ୱାର ଅଭିଯାନର ଏକ ଭିଡିଓ ବିଜେପିର ଅସନ୍ତୋଷର କାରଣ ପାଲଟିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଲୋକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଜ୍ଝ ସେପଟେ ଏହି ଭିଡିଓଟି ଗୌତମବୁଦ୍ଧନଗରର ଦାଦରିର ଅଟେ ବୋଲି ସୂଚନା ମିଳିଛି ।
ଯେଉଁଠାରେ ଅମିତ ଶାହା ଭୋଟ୍ ମାଗିବା ପାଇଁ ପହଞ୍ଚିଥିଲେ ଏବଂ କର୍ମୀମାନଙ୍କ ସହ ପ୍ରଚାର କରୁଥିବା ସମୟରେ ପାମ୍ପଲେଟ ବଣ୍ଟନ କରୁଥିଲେ। କରୋନା ଭାଇରସ ଯୋଗୁଁ ରାଲି, ସଭା ଆୟୋଜନ କରାଯାଉ ନ ଥିବା ବେଳେ ଅନ୍ୟପକ୍ଷରେ ଅମିତ ଶାହାଙ୍କ ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ କ୍ରୋଧିତ ହେଉଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ କରୋନା ଅବଧିରେ ଛେପ ପକାଇ ପାମ୍ପଲେଟ କିଏ ବଣ୍ଟନ କରେ ? ଗଣମାଧ୍ୟମର ଏହା ଉପରେ କହିବାର କ୍ଷମତା ଅଛି କି? ବୋଲି ଏହି ଭିଡିଓଟିକୁ ସେୟାର କରି ପୂର୍ବତନ ଆଇଏଏସ୍ ସୂର୍ୟ୍ୟ ପ୍ରତାପ ସିଂ କହିଛନ୍ତି । ଭିଡିଓରେ ଅମିତ ଶାହା କାଗଜ ବଣ୍ଟନ କରିବା ସମୟରେ ସ୍ପିଟ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏବଂ ଲୋକମାନେ ଏପରି କାର୍ଯ୍ୟକୁ ନିନ୍ଦା କରୁଥିବାର ଦେଖିବାକୁ ମିଳିଛି ।