ହଟିଲା ରାସ୍ତାରୋକ: ଦାରୁଠେଙ୍ଗ ଠାରେ ବିଏମ୍‌ସିର ଅଳିଆ ବୁଡ଼ା ଗାଡ଼ି ଧକ୍କାରେ ମୃତକଙ୍କ ପରିବାରକୁ ମିଳିବ 5 ଲକ୍ଷ ଓ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡ ନିକଟରେ ଦୁର୍ଘଟଣା । ବିଏମ୍‌ସିର ଅଳିଆ ବୁଡ଼ା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବିଏମ୍‌ସିର ଏକ ଅଳିଆ ବୁହା ଗାଡି ଧକ୍କାରେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏହାସହିତ ଅନ୍ୟ କିଛି ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି । ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତା ରୋକ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି ।

ସେପଟେ ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭରକୁ ଥାନାରେ ଅଟକ ରଖିଛି ପୋଲିସ । କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା । ସେନେଇ ଖୋଲତାଡ଼ କରୁଛି ଚନ୍ଦକା ଥାନା ପୋଲିସ ।

ଦୀର୍ଘ ଘଣ୍ଟାର ଆନ୍ଦୋଳନ ପରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୁରଣ ରାଶି ଦିଆଯାଇଛି । ଏହାସହ ମୃତକଙ୍କ ପରିବାରର ଜଣଙ୍କୁ BMCରେ ଠିକା ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି । ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ଏବଂ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି ।

ସେହିପରି ଗ୍ରାମବାସୀଙ୍କ ଦାବି ମଧ୍ୟରୁ ୨ଟି ଦାବି ପୁରଣ ନେଇ ମେୟର ପ୍ରତିଶୃତି ଦେଇଛନ୍ତି । ଦାରୁଠେଙ୍ଗରେ ପୁନର୍ବାର ଅଳିଆ ନପକାଇବାକୁ ଦାବି ରଖିଲେ ଗ୍ରାମବାସୀ । ଏବେ ଅସ୍ଥାୟୀ ଭାବେ ବନ୍ଦ ରହିବ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ । ଗ୍ରାମକୁ ମୋ ବସ ଚାଲିବା ନେଇ ବିଏମସି କମିଶନର ଘୋଷଣା କରିଛନ୍ତି । ଏଥିସହ ଦୁର୍ଘଟଣାସ୍ଥଳରେ ନିର୍ମାଣ ହେବ ହମ୍ପସ୍ । ଏହି ରାସ୍ତାରେ ଲାଗିବ ଏଲଇଡି ଲାଇଟ ।

Related Posts