ଶିଶୁ ସୁରକ୍ଷା ପ୍ରସଙ୍ଗରେ ଗୃହ ଅଚଳ

ସତ୍ୟପାଠ ବ୍ୟୁରୋ : ଶିଶୁ ସୁରକ୍ଷା ଓ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ କରିଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ ଏକାସ୍ୱରରେ ସରକାରକୁ ଘେରିବାକୁ ଚେଷ୍ଟା କରିଛନ୍ତି । ନବୀନ ସରକାରର ପଂଚମ ପାଳିରେ ଏହା ସବୁଠୁ ବଡ ଅଡୁଆ ପରିସ୍ଥିତି ବୋଲି କୁହାଯାଇପାରେ ।

ରାଜ୍ୟରେ ଅସୁରକ୍ଷିତ ଶିଶୁ ଓ ନାବାଳିକା । ମାତ୍ର ୩ ମାସରେ ୬୦୨ ଶିଶୁ ନିଖୋଜ । ଯେଉଁଥିରୁ ୫୦୨ ଜଣ ହେଉଛନ୍ତି ନାବାଳିକା । ଯାହାକୁ ସହଜରେ ମାନୁ ନାହାଁନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଠିକ ଥିବା କହୁଥିବା ମୁଖ୍ୟମନ୍ତ୍ରୀ ଏହି ମାମଲାରେ ଚୁପ କାହିଁକି ବୋଲି ପ୍ରଶ୍ନ କରି ଗୃହ ହୁଲସ୍ତୁଲ କରିଛନ୍ତି ଦୁଇ ବିରୋଧୀ ଦଳ । ସମସ୍ୱରରେ ସରକାରଙ୍କୁ ଜବାବ ମାଗିଛନ୍ତି ବିରୋଧୀ ।

ବିରୋଧୀଙ୍କ ଶାଣିତ ଆଭିମୁଖ୍ୟ ଓ ସରକାରଙ୍କ ନୀରବତା ପାଇଁ ଚାଲିପାରୁନି ଗୃହ । ସରକାରୀ ଦଳ କହୁଛି ଆଲୋଚନାକୁ ପ୍ରସ୍ତୁତ କିନ୍ତୁ ବିରୋଧୀଙ୍କ ଅଭିଯୋଗ ସରକାର ଏ ବାବଦରେ ଆଲୋଚନା ଚାହୁଁ ନାହାଁନ୍ତି । ରାଜ୍ୟର ଏତେ ବଡ ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ବଦଳରେ ଗୃହରେ ହଙ୍ଗାମା ହେଉଛି ଆଉ ଗୃହ ମୂଲତବୀ ରହୁଛି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଗତକାଲି ସର୍ବଦଳୀୟ ବୈଠକରେ ଗୃହ କମିଟି ଗଠନ କରିବା ପାଇଁ ଦାବୀ କରିଥିଲୁ । କିନ୍ତୁ ସରକାର କମିଟି ଗଠନ ପାଇଁ ରାଜି ହେବେନି ଏହାର ଅର୍ଥ କଣ ?

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ବିଧାନସଭା ଚାଲିଥିବା ବେଳେ ରାଜ୍ୟରେ ଦୁଷ୍କର୍ମ ହେଉଥିବା ଖବର ଆସୁଛି । ବାଚସ୍ପତି ଏହାକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଗ୍ରହଣ କରି ଆଲୋଚନା କରିବାକୁ ଦାବି କରିଥିଲୁ କିନ୍ତୁ ସରକାର ଏହାର ପ୍ରତିକାର ପାଇଁ ଆଗଭର ହେଉ ନାହାଁନ୍ତି ।

Related Posts