ଆସନ୍ତାକାଲି ରାଜ୍ୟବ୍ୟାପି ବିକ୍ଷୋଭ କରିବ କଂଗ୍ରେସ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ଭୁଷୁଡି ପଡିଛି ଆଇନଶୃଙ୍ଖଳା ବ୍ୟବସ୍ଥା । ନାରୀ ଓ ନାବାଳିକାଙ୍କ ପ୍ରତି ଅତ୍ୟାଚାର ଏକଦମ ଚିନ୍ତାଜନକ ସ୍ଥିତିରେ । କିନ୍ତୁ ସରକାର ନୀରବ ଓ ନିର୍ବିକାର । ନା ବିରୋଧୀ ଦଳର ପ୍ରଶ୍ନର ଉତ୍ତର ଦେଉଛନ୍ତି ନା ଗୃହରେ ତଥ୍ୟ ସମ୍ବଳିତ ବିବୃତି ରଖୁଛନ୍ତି । ଗୃହକୁ ବିଭ୍ରାନ୍ତି କରିବାକୁ ଅପଚେଷ୍ଟା କରୁଛି ଶାସକ ଦଳ । ଯାହାର ପ୍ରତିବାଦରେ ଆସନ୍ତାକାଲି ରାଜ୍ୟବ୍ୟାପି ବିକ୍ଷୋଭ କରିବ କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ଶିଶୁ ଅପହରଣ ପ୍ରସଙ୍ଗରେ ବର୍ଷିଛି କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନାବାଳିକା ଦୁଷ୍କର୍ମ ଓ ଶିଶୁ ଅପହରଣ ପ୍ରସଙ୍ଗରେ ସରକାରଙ୍କ ନୀରବତା ପ୍ରତିବାଦରେ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ୧ଟା ଯାଏଁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ରାଜ୍ୟ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ କରିବ ବୋଲି ସୂଚନା ଦେଇଛନ୍ତି ନରସିଂହ ।

ସାମ୍ବାଦିକ ସମ୍ମିଳନୀରେ ନରସିଂହ କହିଛନ୍ତି, ଓଡିଶାରେ ବର୍ଷକୁ ୧୦୦୫ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଛି । ନାବାଳିକାଙ୍କୁ ଦୁଷ୍କର୍ମ କରିବାରେ ଓଡିଶା ୧ ନମ୍ବର ହୋଇଛି । ରାଜ୍ୟ ସରକାର ଏହା ସ୍ୱୀକାର କରିଛନ୍ତି । ତଥାପି ସରକାର ନିର୍ବିକାର । ମୁଖ୍ୟମନ୍ତ୍ରୀ କହିଲେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି । ମାଓବାଦୀଙ୍କ କାର୍ଯ୍ୟକଳାପ କମିଯାଇଛି । ଯେଉଁଦିନ ମୁଖ୍ୟମନ୍ତ୍ରୀ ଏ ବିବୁୃତି ଦେଲେ ତା ପରଦିନ ଠାରୁ ମାଓ କାର୍ଯ୍ୟକଳାପ ବଢ଼ିଛି । ଗୃହକୁ ବିଭ୍ରାନ୍ତି କରିବାକୁ ମୁଖ୍ୟମନ୍ତ୍ରୀ ବିବୃତି ଦେଇଛନ୍ତି ।

ଶ୍ରାବଣ ମାସରେ ବି ପାଣିର ଅଭାବ ଦେଖାଦେଲାଣି । ଆଗାମୀ ଦିନରେ ଭୟଙ୍କର ମରୁଡି ପରିସ୍ଥିତି ଦେଖାଦେବ । ସରକାର ବେଫିକର । ମରୁଡି ପାଇଁ ବଲାଙ୍ଗୀର ବ୍ଳକର ଜଣେ ଚାଷୀ ଆତ୍ମହତ୍ୟା କଲାଣି । ସରକାରଙ୍କ ତରଫରୁ କୌଣସି ଉତ୍ତର ନାହିଁ । ବିଧାନସଭାରେ କୁହାଗଲା ଜଣେ ନିର୍ଦ୍ଦିଷ୍ଟ ସରକାରୀ ଦଳର ବଡ ନେତା ୧୦ହଜାର କୋଟି ଟଙ୍କାର ଜମି ଲୁଟିଛନ୍ତି । କୋର୍ଟର ସାର୍ଟିିଫାଏଡ କପି ଆଣି ଗୃହରେ ଦେଖାଗଲା । ଏତେବଡ ଘୋଟାଲାରେ ବି ମନ୍ତ୍ରୀ ନିରବ ରହିଲେ । କେବଳ କହିଲେ ସଂପୃକ୍ତ ବିଧାୟକଙ୍କ ସହ ଆଲୋଚନା କରିବି । ମନ୍ତ୍ରୀମାନେ ଆମର ଉତ୍ତର ଦେଉ ନାହାଁନ୍ତି । କେବଳ ଭୁଲ ତଥ୍ୟ ଦେଉଛନ୍ତି । ଯାହାର ବିରୋଧରେ ଆସନ୍ତାକାଲି ବିକ୍ଷୋଭ ଡାକରା ଦେଇଛି କଂଗ୍ରେସ ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ ସଭାନେତ୍ରୀ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Posts