ଶତ୍ରୁରାଷ୍ଟ୍ରକୁ କେମିତି କରୁଥିଲେ ତଥ୍ୟ ଲିକ୍ ? ୫ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବାଲେଶ୍ଵର ଚାନ୍ଦିପୁର ଡଆରଡିଓ ତଥ୍ୟ ଲିକ୍ ମାମଲା। ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି ବାଲେଶ୍ୱର କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ସମସ୍ତ ଅଭିଯୁକ୍ତଙ୍କୁ ବାଲେଶ୍ଵରରୁ କଟକକୁ ଅଣାଯାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ମାରାଥନ ଜେରା କରିବ ବୋଲି ଜଣାପଡିଛି। ଆଡିସନାଲ ଏସ୍‌ପିଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍। ଏହି ଟିମରେ ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ଅଛନ୍ତି। ସମସ୍ତ ଦିଗକୁ ନେଇ ମୂଳରୁ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅଭିଯୁକ୍ତମାନେ କାହାକୁ ତଥ୍ୟ ଯୋଗାଉଥିଲେ, କେଉଁ ପ୍ରକାର ଡାଟା ଟ୍ରାନସଫର ହୋଇଛି, ସେମାନଙ୍କ ସମ୍ପର୍କୀୟମାନଙ୍କା ଏଥିରେ ଲିଙ୍କ୍ ଅଛି କି ନାହିଁ, ଆର୍ଥିକ କାରବାରର ମଧ୍ୟ ଯାଞ୍ଚ ହେବ । ତଥ୍ୟ କେମିତି ଦେଉଥିଲେ, କେତେ ଟଙ୍କା ମିଳୁଥିଲା ସେସବୁର ହେବ ଖୋଳତାଡ଼ ହେବ । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ଜେରା କରାଯିବ। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବୁ। କେନ୍ଦ୍ରୀୟ ସଂସ୍ଥା ଏନଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବେ ବୋଲି ସେ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚାନ୍ଦିପୁର ITRର ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ବି ଏଭଳି ଗୁପ୍ତଚର ସାଜି ୨୦୧୫ରେ ଗିରଫ ହୋଇ ଏବେ ଆଜୀବନ ସଜା କାଟୁଛି।  ଏବେ ପୁଣି ୬ ବର୍ଷ ପରେ ସେହି ଘଟଣାର ରିପିଟ୍ ହୋଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତର ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ AC ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନଗେଟ୍ କିପର୍ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ ଏବଂ ପ୍ରାୟ ୭ ବର୍ଷ ଧରି ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ୍ କୁମାର ଛତ୍ତା କୁ ପୋଲିସ ଗିରଫ କରିଛି। ସଚିନ୍ ସ୍ଥାୟୀ କର୍ମଚାରୀ ହୋଇଥିବାରୁ ଏବେ ଚିନ୍ତା ବଢ଼ିଛି । 

Related Posts