ବିସ୍ଫୋରକ ହେଉଛି ପଞ୍ଜାବ କଂଗ୍ରେସ କଳି, ହାଇକମାଣ୍ଡଙ୍କୁ ଇସ୍ତଫା ଧମକ ଦେଲେ କ୍ୟାପଟେନ ଅମରିନ୍ଦର ସିଂ : ସୂତ୍ର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ବିସ୍ଫୋରକ ରୂପ ନେଲା ପଞ୍ଜାବ କଂଗ୍ରେସ କଳି। ହାଇକମାଣ୍ଡଙ୍କ ତମାମ ପ୍ରଚେଷ୍ଟା ସତ୍ତ୍ବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧର ଅନ୍ତ ହେଉ ନାହିଁ। ବରଂ ଏହା ଦିନକୁ ଦିନ ବିସ୍ଫୋରକ ରୂପ ଧାରଣ କରୁଛି। ଶନିବାର ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଇସ୍ତଫା ଧମକ ଦେଇଛନ୍ତି। 

ସୂତ୍ରରୁ ମିଳିଥିବା ସୂଚନା ମୁତାବକ , ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ସହିତ ଦଳରୁ ଇସ୍ତଫା ଦେବା ପାଇଁ ହାଇକମାଣ୍ଡଙ୍କୁ ଧମକ ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ୟାପଟେନ କହିଛନ୍ତି ଯେ ସେ ଏପରି ଅପମାନ ସହ କଂଗ୍ରେସରେ ରହିପାରିବେ ନାହିଁ।   

ସୂତ୍ରରୁ ପ୍ରକାଶ ଯେ କ୍ୟାପଟେନ ଅମରିନ୍ଦର ସିଂ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ କହିଛନ୍ତି ଯେ , “ଏଭଳି ଅପମାନ ଯଥେଷ୍ଟ ହୋଇଗଲା । ତୃତୀୟ ଥର ପାଇଁ ମୋ ସହିତ ଏଭଳି ଘଟୁଛି। ମୁଁ ଏପରି ଅପମାନ ସହ ପାର୍ଟିରେ ରହିପାରିବି ନାହିଁ।” ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳର ବୈଠକ ହେବ । ଯେଉଁଥିରେ ବିଧାୟକ ନୂଆ ନେତା ବାଛିବେ । 

ନୂଆ ନେତା ଭାବେ ସୁନୀଲ ଜାଖଡ ନିର୍ବାଚିତ ହୋଇ ପାରନ୍ତି ।ଏହି ବୈଠକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। କାରଣ ୪୦ ରୁ ଅଧିକ ବିଧାୟକ ଦଳ ହାଇକମାଣ୍ଡଙ୍କୁ ତାଙ୍କ ବହିଷ୍କାର ଦାବିରେ ଏକ ଚିଠି ଲେଖିଥିବା କୁହାଯାଉଛି। ଏହି ଵୈଠକରେ ସମସ୍ତ ବିଧାୟକଙ୍କୁ ବାଧ୍ୟତାମୂଳକ ଭାବେ ଯୋଗଦେବାକୁ କୁହାଯାଇଛି।  କଂଗ୍ରେସ ପର୍ଯ୍ୟବେକ୍ଷକ ଭାବରେ ହରିଶ ରାୱତ ଏବଂ ଅଜୟ ମାକେନ୍ ମଧ୍ୟ ଉପସ୍ଥିତ ରହିବେ।

Related Posts