ମହାତ୍ମାଙ୍କ ରାସ୍ତାରେ ମୁଖିଆ, ଗଡସେଙ୍କ ପଛରେ ଚେଲା !

ସତ୍ୟପାଠ ବ୍ୟୁରୋ : ନୂଆଦିଲ୍ଲୀରେ ସର୍ବ ଦଳୀୟ ବୈଠକରେ ଯୋଗ ଦେବା ପରେ ଦେଶର ସମ୍ବିଧାନର ମୁଖବନ୍ଧରେ ଅଂହିସାକୁ ସ୍ଥାନ ଦେବାକୁ ଦାବୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀଙ୍କ ଅଂହିସା ଦର୍ଶନ ଆଗାମୀ ପିଢ଼ୀକୁ ଜଣାଇବା ପାଇଁ ଏହାଠାରୁ ଭଲ ରାସ୍ତା ହୁଏତ ଆଉ କିଛି ହୋଇନପାରେ । ନବୀନଙ୍କର ପ୍ରସ୍ତାବକୁ ଚାରିଆଡୁ ଭୁରି ଭୁରି ପ୍ରଂଶସା ମିଳୁଥିବା ବେଳେ ତାଙ୍କ ଦଳୀୟ ସାଂସଦଙ୍କ ଅଲଗା ଦର୍ଶନ ଏବେ ସାମ୍ନାକୁ ଆସିଛି । ଗାନ୍ଧୀଙ୍କୁ ଗୁଳି କରି ମାରିଥିବା ନାଥୁରାମ ଗଡସେଙ୍କୁ ଯିଏ ଦେଶଭକ୍ତ ବୋଲି କହୁଛନ୍ତି ତାଙ୍କରି ସହ ଫଟୋ ପୋଜ୍ ଦେଇଛନ୍ତି ବିଜେଡିର ଦୁଇ ସାଂସଦ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି ।

ଗାନ୍ଧୀ ଅହିଂସାର ମାର୍ଗ ଦେଖାଇଲେ । କିନ୍ତୁ ତାଙ୍କ ଅହିଂସା ରାସ୍ତାକୁ ସାମ୍ନା କରି ନପାରି ତାଙ୍କୁ ଗୁଳି କରି ହତ୍ୟା କରାଗଲା । ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କଲେ ନାଥୁରାମ ଗଡସେ କିନ୍ତୁ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗଡସେଙ୍କୁ ଦେଶଭକ୍ତ ବୋଲି କହିଲେ । ଗତ ମେ ୧୬ରେ ଏକ ନିର୍ବାଚନ ପ୍ରଚାର ବେଳେ ପ୍ରଜ୍ଞା କହିଥିଲେ ଗଡସେ ଦେଶଭକ୍ତ ଥିଲେ , ଅଛନ୍ତି ଓ ରହିବେ । ସାରା ବିଶ୍ୱରେ ଯେଉଁମାନେ ମହାତ୍ମା ଗାନ୍ଧୀଙ୍କର ଅନୁଗତ ଆଉ ଶାନ୍ତି ଓ ଅହିଂସାକୁ ଭଲ ପାଉଥିବା ଲୋକ ସେତେବେଳେ ପ୍ରଜ୍ଞାଙ୍କ ଏହି ବୟାନକୁ ନେଇ ତୀବ୍ର ସମାଲୋଚନା କଲେ । ଏପରିକି ବିଜେପି ତାଙ୍କୁ ବାଦ ଦେବା ପାଇଁ ଓ ତାଙ୍କୁ ଏକଘରିକିଆ କରିବାକୁ ବି ଚାପ ପଡିଲା । ନରେନ୍ଦ୍ର ମୋଦି କେବଳ ନାଁକୁ ତାଙ୍କୁ କ୍ଷମା ମାଗିବା ଉଚିତ ବୋଲି କହିଲେ । କିନ୍ତୁ ଯାହାକୁ ସେଇଆ ରହିଲା । ଜଣେ ଅଂହିସା ପାଇଁ ଜୀବନ ଦେଲା ଆଉ ଜଣେ ହିଂସାରେ ତାଙ୍କୁ ହତ୍ୟା କଲେ । ଆଉ ଗଡସେଙ୍କ ସବୁଠାରୁ ବଡ ପ୍ରବକ୍ତା ହେଉଛନ୍ତି ପ୍ରଜ୍ଞା ଠାକୁର ।

ସେହି ପ୍ରଜ୍ଞାଙ୍କ ସହ ବିଜେଡିର ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କ ଫଟୋପୋଜକୁ ନେଇ ଉଠିଛି ବିବାଦ । ଦଳର ମୁଖ୍ୟ ଅହିଂସା କଥା କହୁଥିବା ବେଳେ ଚେଲା କିନ୍ତୁ ଗଡସେଙ୍କୁ ଦେଶଭକ୍ତ କହୁଥିବା ଠାକୁରଙ୍କ ପାଖରେ । ମାନେ, ଦଳପତି ଗାନ୍ଧୀଙ୍କ ଦର୍ଶନର କଥା କହୁଛନ୍ତି କିନ୍ତୁ ଦଳଭାଇ ଗଡସେ ଦର୍ଶନ ପଛରେ ଛିଡା ହୋଇଛନ୍ତି ।

ଜଣେ ସାଂସଦ ଭାବେ ଆଉ ଜଣେ ସାଂସଦଙ୍କ ସହ ଫଟୋ ଉଠାଇବା ଏକ ସୌଜନ୍ୟତା ହୋଇପାରେ । ଏହାକୁ କେହି ମନା କରିବେ ନାହିଁ । ସଂସଦ ଭବନରେ କିମ୍ବା କୌଣସି ସଭାସମିତିରେ ସାଙ୍ଗ ହୋଇ ଫଟୋ ଉଠାଇବା ଅଲଗା କଥା କିନ୍ତୁ ଫଟୋ ଉଠାଇବା ଉଦ୍ଦେଶ୍ୟରେ ସାଙ୍ଗ ହୋଇ ପୋଜ୍ ଦେବା ନିହାତି ଅଲଗା ବୋଲି କୁହାଯାଇପାରେ । ଅବଶ୍ୟ ଏକଥା ସତ, ପ୍ରଜ୍ଞା ଯେଉଁ ବିଜେପିରୁ ଆସିଛନ୍ତି ମହେଶଙ୍କ ରାଜନୀତି ବି ସେଇଠି ସୃଷ୍ଟି । ତେଣୁ ଉଭୟଙ୍କ ଭିତରର ନିବିଡତା ରହିବା ସ୍ୱାଭାବିକ କଥା ।

ଏଠାରେ ସୂଚନା ଦେବାକୁ ଚାହୁଁଛୁ, କନ୍ଧମାଳ ଦଙ୍ଗାକୁ କାରଣ ଦର୍ଶାଇ ଅହିଂସା ଓ ଧର୍ମ ନିରପେକ୍ଷତା ପାଇଁ ୨୦୦୯ରେ ବିଜେପି ସହ ସମ୍ପର୍କ କାଟିଥିଲେ ନବୀନ । ସେ ଦୃଷ୍ଟିରୁ ହିଂସାର ପ୍ରବକ୍ତା ସାଜିଥିବା ପ୍ରଜ୍ଞା ଠାକୁରଙ୍କ ପ୍ରତି ଏହି ଦୁଇ ଜଣଙ୍କର ଶ୍ରଦ୍ଧା ଓ ସମ୍ମାନର ଏ ଭାଇରାଲ ଫଟୋକୁ ଦେଖି ନବୀନ ବିଚଳିତ ନା ନାହିଁ…

Related Posts