ଶହେ କୋଟି ଋଣ ଦେବେ କହି ଲୁଟିନେଲେ ୨ କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଋଣ କରାଇଦେବାର ପ୍ରଲୋଭନ ଦେଖାଇ ଠକିନେଲେ ୨ କୋଟି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏକ ଫାଇନାନ୍ସ ସଂସ୍ଥାରୁ ୧୦୦ କୋଟି ଟଙ୍କାର ଋଣ କରାଇଦେବାର ପ୍ରଲୋଭନ ଦେଖାଇ ଜଣେ ଦଲାଲ ଓ ଫାଇନାନ୍ସ କମ୍ପାନିର କିଛି କର୍ମଚାରୀ ଏକ କନଷ୍ଟ୍ରକ୍ସନ କମ୍ପାନୀ ମାଲିକଙ୍କୁ ୨ କୋଟି ଟଙ୍କାର ଚୂନ ଲଗାଇଛନ୍ତି । ସେପଟେ ଏପରି ଏକ ସଂଘାତିକ ଠକେଇର ଶିକାର ହୋଇଛନ୍ତି ବିହାର ବେଗୁସରାଇର ଅଶୋକ କୁମାର ସିଂହ । ଏନେଇ ଅଶୋକ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୋଗ ଅନୁଯାୟୀ, ବିହାରରେ ତାଙ୍କର ଏକ କନଷ୍ଟ୍ରକ୍ସନ ସଂସ୍ଥା ରହିଛି । ସେ ବିଭିନ୍ନ ରାଜ୍ୟରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାର କାମ ନେଇ କାମ କରନ୍ତି । ଭୁବବେଶ୍ୱର ଓ ଝାରସୁଗୁଡ଼ାରେ ସେ ଗତବର୍ଷ ଏକ ଘରୋଇ ସଂସ୍ଥାର କାମ ନେଇଥିଲେ । ଏହା ଏକ ବଡ଼ ପ୍ରକଳ୍ପ ହୋଇଥିବାରୁ ସଂସ୍ଥା ପାଇଁ କିଛି ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ତାଙ୍କର ପ୍ରାୟ ୧୦୦ କୋଟି ଟଙ୍କା ଆବଶ୍ୟକ ଥିଲା ।

ଏନେଇ ସେ ବିଭିନ୍ନ ବ୍ୟାଙ୍କ ଓ ଘରୋଇ ଫାଇନାନ୍ସ ସଂସ୍ଥା ପାଖରେ ଋଣ ପାଇଁ ଆବେଦନ କରିଥିଲେ । କିନ୍ତୁ ଏତେ ଟଙ୍କାର ଋଣ ଦେବାକୁ କୌଣସି ବ୍ୟାଙ୍କ କିମ୍ବା ଘରୋଇ ଫାଇନାନ୍ସ ସଂସ୍ଥା ରାଜି ହୋଇନଥିଲେ । ଏହା ମଧ୍ୟରେ ଶ୍ରବଣ ତୋମାର ନାମକ ଜଣେ ବ୍ୟକ୍ତି ଅଶୋକଙ୍କୁ ୧୦୦ କୋଟିର ଋଣ କରାଇଦେବ ବୋଲି କହିଥିଲା । ତେବେ ମୁମ୍ବାଇସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀର ବରିଷ୍ଠ କର୍ମଚାରୀଙ୍କସହ ତାର ଚିହ୍ନା ପରିଚୟ ଅଛି ଓ ସେ ସହଜରେ ତାଙ୍କ ପାଇଁ ୧୦୦ କୋଟି ଟଙ୍କା ଉକ୍ତ ଫାଇନାନ୍ସ ସଂସ୍ଥାରୁ ଋଣ କରାଇଦେବ ବୋଲି କହିଥିଲା । ଏଥିପାଇଁ କମିଶନ ବାବଦକୁ ତାକୁ ୨ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଶ୍ରବଣ କହିଥିଲା । ପରେ ଅଶୋକ ଉକ୍ତ ଘରୋଇ ସଂସ୍ଥାର ବରିଷ୍ଠ କର୍ମଚାରୀ ରାକେଶ ପାଣ୍ଡେଙ୍କ ସହିତ ଋଣ ବାବଦରେ କଥାବାର୍ତ୍ତା ହୋଇଥିଲେ । ପରେ ୧୦୦ କୋଟି ଟଙ୍କା ମିଳିଯିବ ବୋଲି ତାଙ୍କର ବିଶ୍ୱାସ ହେବାରୁ ଚୁକ୍ତି ଅନୁସାରେ ସେ ଆଗୁଆ ଶ୍ରବଣକୁ ୨ କୋଟି ଟଙ୍କା ଦେଇ ଦେଇଥିଲେ । କିନ୍ତୁ ଦୀର୍ଘ ଦିନ ପରେ ତାଙ୍କୁ ଋଣ ମିଳିନଥିଲା । ପରେ ଅଶୋକ ଏନେଇ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ସେପଟେ ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ଘର ମୁମ୍ବାଇରେ । ଏହି ଗ୍ୟାଙ୍ଗ ମୁମ୍ବାଇରେ ରହି ବିଭିନ୍ନ ରାଜ୍ୟର ବ୍ୟବସାୟୀଙ୍କୁ ଟାର୍ଗେଟ କରିଥାନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts