
କରଞ୍ଜିଆ: ଗତକାଲିଠୁ ଭୋକ ଉପାସରେ ଅଛନ୍ତି ଶତାଧିକ ଛାତ୍ରୀ।ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ସେମାନେ ଭୋକ ଉପାସରେ ରହିଥିବା କହିଛନ୍ତି । କେହି ସେମାନଙ୍କ କଥା ନବୁଝିବାର ମଧ୍ୟ ଅଭିଯୋଗ ଆଣିଛନ୍ତି । ଏନେଇ ନିଜ ନିଜ ଗୁହାରୀ ଜଣାଇବା ଲାଗି କାନ୍ଦି କାନ୍ଦି ବିଡିଓଙ୍କୁ ଦେଖା କରିବା ପାଇଁ ପହଞ୍ଚିଥିଲେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଠାକୁରମୁଣ୍ଡା ଏସଟିଏସି ଡେଭଲମେଣ୍ଟ(ଏସ୍ଏସ୍ଡି) ଛାତ୍ରୀ ନିବାସରେ।
ଏହି ଏସଟିଏସି ଡେଭଲମେଣ୍ଟ ଛାତ୍ରୀ ନିବାସରେ ୯୪ଜଣ ଝିଅ ରହନ୍ତି। ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତକାଲି ରାତିଠୁ ସେମାନଙ୍କୁ କିଛି ଖାଇବାକୁ ଦିଆଯାଇ ନଥିଲା। ଆଜି ଦିନ୧୨ଟା ପର୍ଯ୍ୟନ୍ତ ସେମାନେ ଭୋକ ଉପାସରେ ରହିଥିଲେ। ତା’ ପରେ ଆଉ ଭୋକ ସମ୍ଭାଳି ପାରିନଥିଲେ। ତେଣୁ ଦୁଃଖ ଜଣାଇବାକୁ କାନ୍ଦି କାନ୍ଦି ବିଡ଼ିଓଙ୍କ ପାଖକୁ ଆସିଥିଲେ।
ତେବେ ଆଜି ରବିବାର ଥିବାରୁ ବ୍ଲକ କାର୍ଯ୍ୟାଳୟର ବନ୍ଦ ଥିଲା। ପରେ ପିଲାମାନେ ବ୍ଲକ କାର୍ଯ୍ୟାଳୟର ଗେଟ୍ ଆଗରେ ଧାରଣାରେ ବସିଥିଲେ।
ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ଲୋକ ସେହି ପିଲାମାନଙ୍କୁ କିଛି ଖାଇବାକୁ ଦେଇଥିଲେ ବୋଲି ଜଣାଯାଇଛି।
ଠାକୁରମୁଣ୍ଡା ବ୍ଲକ ଏବିଇଓ ଭାଗିରଥି ମହାନ୍ତି କହିଛନ୍ତି, ପିଲାମାନେ ବ୍ଲକ୍ କାର୍ଯ୍ୟାଳୟରେ ବସିଥିବା ଖବର ପାଇ ମୁଁ ଘଟଣାସ୍ଥଳରେ ପହଞ୍ଚିଥିଲି। ପିଲାମାନେ ସକାଳେ ମୁଢ଼ି ଖାଇଥିଲେ। ହଷ୍ଟେଲରେ ଗ୍ୟାସ ନଥିବାରୁ ରୋଷେଇ ହୋଇ ନଥିଲା। ହଷ୍ଟେଲ କଥା ଆମେ ବୁଝୁନାହୁଁ। ଡବ୍ଲ୍ୟୁଓ ବୁଝାସୁଝା କରୁଛନ୍ତି।