ବିଜେଡି-ବିଜେପି ଫିକ୍ସିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିଜେଡିର ସମର୍ଥନ ପଛର କାରଣ କ’ଣ ? ୧୬ ଦିନ ଆଗରୁ ଗୃହକୁ ବନ୍ଦ କରୁଥିବା ଦଳ ବିଧାନ ପରିଷଦ ବିଲ୍‌ ପାସ୍‌ କରିବାକୁ ଚାହୁଁଛି କାହିଁକି ? ଏହା ପଛରେ ବିଜେଡିର କି ଉଦ୍ଦେଶ୍ୟ ଅଛି  ? ଏସବୁ ପ୍ରଶ୍ନର ପୋଲ୍‌ ଖୋଲିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ତାଙ୍କ କହିବା କଥା ବିଧାନ ପରିଷଦ ବିଲ୍‌ ପାସ୍‌ ପାଇଁ ବିଜେଡି ବିଜେପିକୁ ସମର୍ଥନ କରି ବ୍ଲାକ ମେଲିଂ କରୁଛି । ଏନେଇ ଦୁଇ ଦିନ ତଳେ ବିଜେଡି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଓଡ଼ିଶା ବିଧାନ ପରିଷଦ ବିଲ ସଂସଦରେ ପାସ୍ କରିବାକୁ ଦାବି କରିଥିବା କହିଛନ୍ତି ପ୍ରଦୀପ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଅଶ୍ବିନୀ ବୈଷ୍ଣବକୁ ରାଜ୍ୟସଭା ପଠାଇବା ପାଇଁ ସମର୍ଥନ ଏବଂ ନାଗରିକତା ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ ପଛରେ ରହିଛି ବିଧାନ ପରିଷଦ ଚାଲ୍ । ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ । ଆର୍ଥିକ ସ୍ଥିତି ସଂଗୀନ ଥିବା ବେଳେ ନିଜ ନେତାଙ୍କୁ ଥଇଥାନ କରିବାକୁ ପ୍ରୟାସ କରୁଛି ବିଜେଡି । ବିଧାନ ପରିଷଦ ମହତ ଉଦ୍ୟେଶ ପାଇଁ ନୁହେଁ ବରଂ ଏହା କେବଳ ନିଜ ଲୋକଙ୍କ ପାଇଁ ଥଇଥାନ କେନ୍ଦ୍ର ହେବ ବୋଲି କହିଛି କଂଗ୍ରେସ ।

ପ୍ରଦୀପ ପୁରୋହିତ ଏଭଳି ବୟାନ ଦେଇ ନିଜେ ନିଜ ଗୋଡ଼ରେ କୁରାଡ଼ି ମାରିଥିବା କୁହାଯାଉଛି । ବିଜେପିର ଏହି ରାଜ୍ୟ ନେତା ନିଜ ମୁହଁରୁ କଳା ପୋଛିବାକୁ ଏଭଳି ବୟାନ ଦେଇଥିବା କହିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ଏହାସହ ନାୟକ, ପ୍ରଶ୍ନ ବାଣରେ ଉଭୟ ବିଜେଡି ଏବଂ ବିଜେପିକୁ ଘାଇଲା କରିଛନ୍ତି । ନାୟକଙ୍କ କହିବା କଥା, ସବୁବେଳେ ଲାଞ୍ଚ ନେବା ବାଲା ଏବଂ ଲାଞ୍ଚ ଦେବା ବାଲା ସମାନ ପରିମାଣରେ ଦୋଷୀ ହୋଇଥାଏ । ଉଭୟ ବିଜେପି ଓ ବିଜେଡି ରାଜ୍ୟବାସୀଙ୍କ ଆଗରେ ଦୋଷୀ । ପ୍ରଶ୍ନ ହେଉଛି ଯଦି ଫାଇଦା ପାଇଁ ବିଜେପି ମାଗିଲା ବିଜେଡି ଦେଲା କାହିଁକି ? ଯଦି ବିଜେପିର ନୀତି ଆଦର୍ଶ ଭଲ ତେବେ ବିଜେଡି ଯଦି ଦେଲା ତାହା ହେଲେ ଏମାନେ ନେଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନାୟକ । ଏଭଳି ଫିକ୍ସଂ ରାଜନୀତି ଯଦି ରାଷ୍ଟ୍ର କି ଦେଶ ଉଦ୍ଦେଶ୍ୟରେ ହୋଇଥାନ୍ତା ତେବେ ଚଳିଥାନ୍ତା କିନ୍ତୁ ଏହା କେବଳ ଦଳ ଏବଂ ନିଜ ସ୍ବାର୍ଥ ପାଇଁ କରାଯାଇଛି ତେଣୁ ଉଭୟ ବିଜେପି ଓ ବିଜେଡି ଓଡ଼ିଶା ପାଇଁ ବିପଦ ବୋଲି କହିଛନ୍ତି ସତ୍ୟପ୍ରକାଶ ।

ଅନ୍ୟପଟେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଛି । ବିଲ୍ ବର୍ତ୍ତମାନ ସଂସଦର ଅନୁମୋଦନ ଅପେକ୍ଷାରେ ରହିଛି । ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ପାସ୍ କରିବା ଆବଶ୍ୟକତା ରହିଛି ବୋଲି କହିଛି ବିଜେଡି । ରାଜ୍ୟରେ ଯଦି ବିଧାନ ପରିଷଦ ଗଠନ ହୁଏ ତେବେ ଏଥିରେ ମୋଟ ୪୯ ଜଣ ସଦସ୍ୟ ରହିବେ । ଏହି ବିଧାନ ପରିଷଦ  ପୁରୁଣା ବିଧାନ ସୌଧରେ କାର୍ଯ୍ୟ କରିବ ବୋଲି କୁହାଯାଉଛି ।

Related Posts