ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ମୁଁ ନାହିଁ: ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ନଥିଲେ କିମ୍ବା ଏବେ ମଧ୍ୟ ନାହାନ୍ତି।

ସେ ନିଜକୁ ଦଳର ଜଣେ ସାଧାରଣ କର୍ମୀ ବୋଲି କହିବା ସହିତ ତାଙ୍କୁ ଦଳର ନେତୃତ୍ବ ଯେଉଁ ପଦବି ଦେବେ ସେ ସେଥିରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତାଭାବେ ପାଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି। ରାଜ୍ୟବାସୀ ଦଳକୁ ସ୍ପଷ୍ଟ ବହୁମତ ଦେଇଥିବାରୁ ସେ ଲୋକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଆସନ୍ତାକାଲି ଛିନ୍ଦୱାରା ନିର୍ବାଚନ ମଣ୍ଡଳୀକୁ ଯାଇ ସେ ଲୋକମାନଙ୍କୁ ଭେଟିବେ। ଏହି ଆସନରୁ କଂଗ୍ରେସ ନେତା କମଳନାଥ ବିଜୟୀ ହୋଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଯେଭଳି ରାଜ୍ୟରେ ସମସ୍ତ ୨୯ଟି ଆସନରେ ବିଜୟୀ ହେବ ତାହା ହିଁ ଆମର ସଂକଳ୍ପ ବୋଲି ‌ଶିବରାଜ କହିଛନ୍ତି।

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ପାଇଁ କାହାରିକୁ ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଘୋଷଣା ହୋଇ ନଥିଲା। ତେବେ ଶିବରାଜଙ୍କ ସମେତ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦୌଡ଼ରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ‌ସିଂହ ତୋମର, ପ୍ରହଲ୍ଲାଦ ସିଂହ ପଟେଲ ଏବଂ ଦଳର ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟଙ୍କ ନାମ ଚର୍ଚ୍ଚା ହେଉଛି।

Related Posts