ଇମ୍ରାନ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବାରୁ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲି: ଗୁଳିମାଡ କରିଥିବା ଯୁବକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ରାଲିରେ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିବା ଯୁବକକୁ ଗିରଫ କରାଯାଇଛି। ଏହି ଗୁଳିମାଡ଼ରେ ଇମ୍ରାନ ଖାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେହିପରି ଜଣେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି। ହେଲେ ମୃତ୍ୟୁ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କେବଳ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଛି।ଇମ୍ରାନ ଖାନ ଗୋଟିଏ କଣ୍ଟେନରରେ ବସି ଆଜି ପଞ୍ଜାବର ପ୍ରଦେଶର ଗୁରଜନୱାଲାରେ ରାଲି କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଗୁଳିମାଡ଼ କରିଥିଲେ।

ତାଙ୍କ ଗୋଡ଼ରେ ୩ରୁ ୪ଟି ଗୁଳି ମାଡ଼ ହୋଇଛି। ଗୁଳିମାଡ଼ ପରେ ତାଙ୍କୁ ବୁଲେଟ ପ୍ରୁଫ କାର୍‌ରେ ଭର୍ତ୍ତି କରାଯିବା ସହ ସେଠାରୁ ଲାହୋର ସ୍ଥିତ ହସ୍ପିଟାଲକୁ ନିଆଯାଇଛି। ଗୁଳିମାଡ଼ କରିଥିବା ଯୁବକର ପରିଚୟ ମିଳିନାହିଁ। କିନ୍ତୁ ତା’ ମୁହଁ କ୍ୟାମେରାରେ କଏଦ ହୋଇଥିଲା। ସେହି ଆଧାରରେ ସୁରକ୍ଷାକର୍ମୀମାନେ ତୁରନ୍ତ ତାକୁ ଗିରଫ କରିଛନ୍ତି।

ସେ ଏକାକୀ ଏକାଧିକ ରାଉଣ୍ଡ ଗୁଳି ଚଳାଇ ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ସେପଟେ ଏହି ଆକ୍ରମଣ ନେଇ ଗୁଳିମାଡ କରିଥିବା ବ୍ୟକ୍ତି ମୁହଁ ଖୋଲିଛି।ଇମ୍ରାନଙ୍କୁ ହତ୍ୟା କରିବାପାଇଁ ଗୁଳିମାଡ କରିଥିବା କହିଛି। ଏହାସହିତ ଏହି ଆକ୍ରମଣ ପାଇଁ ସେ ଏକା ଆସୁଥିବା ସ୍ପଷ୍ଟ କରିଛି। ତାର ଟାର୍ଗେଟରେ କେବଳ ଇମ୍ରାନ ଥିଲେ, ଆଉ କାହାକୁ ସେ ହତ୍ୟା କରିବାକୁ ଚାହୁଁନଥିବା ସେ କହିଛି। ତେବେ ବାରମ୍ବାର ଇମ୍ରାନ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବାରୁ ତାଙ୍କୁ ହତ୍ୟା କରିବାକୁ ଆସିଥିଲି ବୋଲି ନିଜେ ଗୁଳିମାଡ କରିଥିବା ଯୁବକ କ୍ୟାମେରା ଆଗରେ କହିଛି।

ସୂଚନା ଅନୁସାରେ, ସରକାରରୁ ଯିବା ପରେ ଇମ୍ରାନ ଖାନ ଏବେ ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରକୃତ ସ୍ୱାଧୀନତା ନାଁରେ ବିଶାଳ ରାଲି କରୁଛନ୍ତି। ଗତ ଶୁକ୍ରବାର ଲାହୋରରୁ ଏହି ବିଶାଳ ରାଲି ଆରମ୍ଭ ହୋଇଥିଲା। ରାଲି ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଆଜି ପଞ୍ଜାବ ପ୍ରଦେଶର ଗୁଳିମାଡ଼ ହୋଇଛି। ଅନ୍ୟପଟେ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତୁରନ୍ତ ଏନେଇ ରିପୋର୍ଟ ଦେବାକୁ ପୁଲିସ୍‌ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଇମ୍ରାନଙ୍କ ଉପରେ ଗୁଳିମାଡ କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ। ସେ ଏହି ଘଟଣାକୁ ନିନ୍ଦା କରିବା ସହିତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଅନ୍ୟପକ୍ଷରେ ଇମ୍ରାନ ଖାନଙ୍କ ଗୁଳିମାଡ଼ ଘଟଣା ଉପରେ ପୂରା ନଜର ରଖାଯାଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

Related Posts