ଇଭିଏମ ଉପରେ ପ୍ରଶ୍ନ ଉଠାଉଥିବା ଲୋକ ଅନେକ ଥର ନିର୍ବାଚନ ଜିତିଛନ୍ତି; ନିରପେକ୍ଷତା ନେଇ ପ୍ରଶ୍ନରେ ଇସିଙ୍କ ଜବାବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତୀୟ ନିର୍ବାଚନ ଆୟୋଗ ଗୁରୁବାର ଗୁଜାରଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହିମାଚଳ ପ୍ରଦେଶ ନିର୍ବାଚନ ସହ ଡିସେମ୍ୱର ୮ରେ ମତଗଣନା ହେବ । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ଏହି ସମୟରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦ୍ୱାରା ନିର୍ବାଚନ ଆୟୋଗଙ୍କ ନରପେକ୍ଷତାକୁ ନେଇ ଉଠାଯାଉଥିବା ପ୍ରଶ୍ନ ଉପରେ ସାମ୍ୱାଦିକମାନେ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ।

ସାମ୍ୱାଦିକଙ୍କୁ ଉତ୍ତର ଦେଇ ସିଇସି କହିଛନ୍ତି, ‘ଅନେକ ଥର ନିର୍ବାଚନ ପରିଣାମରୁ ସ୍ପଷ୍ଟ ହୋଇଛି ଯେ ଯେଉଁମାନେ ଆୟୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି, ସେମାନେ ନିଜ ନିର୍ବାଚନ ପରିଣାମ ଦେଖି ଚକିତ ହୋଇଛନ୍ତି । କେତେକ ସମୟରେ ସେମାନଙ୍କ ପକ୍ଷରେ ହିଁ ନିର୍ବାଚନ ଫଳାଫଳ ଯାଇଛି। ସେହିପରି ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଆମ ନିକଟକୁ ଇଭିଏମରେ ଅନିୟମିତତା ନେଇ ଅନେକ ଚିଠି ଆସିଥାଏ, କିନ୍ତୁ ସେହି ମେସିନ ଅନେକ ଥର ନିର୍ବାଚନ ପରିଣାମରେ ସେହି ଦଳକୁ ବିଜୟୀ କରାଇଛି, ଯେଉଁମାନେ ପ୍ରଶ୍ନ ଉଠାଇଛନ୍ତି । ଅନେକ ଥର ନିର୍ବାଚନ ପୂର୍ବରୁ ନକାରାତ୍ମକ ପରିବେଶ ସୃଷ୍ଟି କରାଯାଏ । କ୍ରିକେଟ ମ୍ୟାଚରେ ପରାଜୟ ପରେ ଅନେକ ଟିମ ଅମ୍ପାୟରଙ୍କୁ ଦୋଷ ଦିଅନ୍ତି, କିନ୍ତୁ ଏଠାରେ କୌଣସି ଥାର୍ଡ ଅମ୍ପାୟର ନାହାନ୍ତି । ଏଠାରେ ସବୁଠୁ ବଡ଼ ଅମ୍ପାୟର ହେଉଛି ନିର୍ବାଚନ ଫଳାଫଳ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ଗୁଜରାଟରେ ଡିସେମ୍ୱର ୧ରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ୱର ୫ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ୱର ୮ରେ ଫଳାଫଳ ଘୋଷଣା ହେବ ।

Related Posts