ମୋତେ ଯେତେ ଗାଳି ଦେଲେ ବି ମୁଁ ମୋ ନିଷ୍ପତ୍ତିରୁ ପଛକୁ ହଟିବି ନାହିଁ ୮ ଡଲାର ନେବି: ଏଲନ ମସ୍କ୍

ନ୍ୟୁୟର୍କ : ଏଲନ ମସ୍କ୍ ଟ୍ବିଟରର ନୂଆ ମାଲିକ ହେବା ପରେ ଅନେକ ପରିବର୍ତନ କରି ଚାଲିଛନ୍ତି । ଏହାରି ମଧ୍ୟରେ ଯେଉଁମାନେ ବ୍ଲୁଟିକ୍ ବ୍ୟବହାର କରିବେ ସେମାନଙ୍କୁ ୮ ଡଲାର ଦେବାକୁ ହେବ । ତାଙ୍କୁ ଲୋକମାନେ ଯେତେ ଗାଳି ଦେଲେ ବି ସେ ଏହି ନିଷ୍ପତ୍ତିରୁ ପଛକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ଆଜି ଏକ ଟୁଇଟ୍ କରି ସେ ନିଜର ନିଷ୍ପତ୍ତିକୁ ସମସ୍ତଙ୍କୁ ଜଣାଇଦେଇଛନ୍ତି ।

ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ଏହି ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଏବେ ସେ ସାରା ବିଶ୍ବରେ ଥିବା ଟ୍ବିଟର କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ଶୁକ୍ରବାରଦିନ ଭାରତରେ ଥିବା ଟ୍ବିଟରର ସମସ୍ତ ୧୮୦ କର୍ମଚାରୀଙ୍କୁ ବିଦା କରାଯାଇଥିଲା ।

କମ୍ପାନିର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦ ଡଲାର ଆଦାୟ ପାଇଁ ସେ ଆଗକୁ ଘୋଷଣା କରିଥିଲେ । ଏହାକୁ ନେଇ ସମାଲୋଚନା ହେବା ପରେ ସେ ମାସିକ ଦେୟକୁ ୮ ଡଲାରକୁ କମାଇଦେଇଥିଲେ । କିନ୍ତୁ ଏବେ ଏହି ୮ ଡଲାରରେ ଅଡ଼ି ବସିଛନ୍ତି ।

କିଛି ଦିନ ପୂର୍ବରୁ ସେ ଏକ ଟୁଇଟ କରି ଲେଖିଥିଲେ “ ଆମକୁ ଯେକୌଣସି ଉପାୟରେ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ଟ୍ବିଟର କେବଳ ବିଜ୍ଞାପନ ଦାତାଙ୍କ ଉପରେ ନିର୍ଭର କରିପାରିବ ନାହିଁ ।“

ଗତ ମାସରେ ସେ ଟ୍ବିଟର ଅଧିଗ୍ରହଣ କରିବା ପରେ ପରେ ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ବିଦା କରିଦେଇଥିଲେ ।

Related Posts