ଆଇଏଏସଙ୍କ ଉପରେ ନଜର

ସତ୍ୟପାଠ ବ୍ୟୁରୋ : ଆଇଏଏସଙ୍କ ଉପରେ ନଜର ରଖିବେ ସରକାର । କାହା ନାଁରେ କେଉଁ କେସ୍ ଅଛି, କେସର ଷ୍ଟାଟସ୍ କଣ ତାହାର ତଦାରଖ କରିବେ କେନ୍ଦ୍ର ସରକାର । ଏଥିପାଇଁ ଏକ ସ୍ୱତନ୍ତ୍ର ୱେବସାଇଟ ପ୍ରସ୍ତୁତି ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଆଏଏସ ଅଫିସରମାନଙ୍କ ଚାକିରୀ ସର୍ତ୍ତାବଳୀ ବୁଝୁଥିବା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଏହି ନିଷ୍ପତି ନେଇଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସାଧାରଣ ପ୍ରଶାସନ ବିଭାଗର ସଚିବମାନଙ୍କ ସହିତ କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ସଚିବ ଓ ତାଙ୍କ ଟିମ୍ ବିସ୍ତୃତ ଆଲୋଚନା କରିବାପରେ ଏହା ସ୍ଥିର ହୋଇଛି । କାର୍ମିକ ମନ୍ତ୍ରାଳୟର ସଚିବ ସି.ଚନ୍ଦ୍ରମଉଳି ଓ ଏଷ୍ଟାବ୍ଲିଶମେଣ୍ଟ ଅଫିସର ପି.କେ.ତ୍ରିପାଠୀ ଏବଂ ରାଜ୍ୟ ସରକାରଙ୍କ ସଚିବମାନଙ୍କ ସହିତ ନିକଟରେ ନୂଆଦିଲ୍ଲୀ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତଦନୁଯାୟୀ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଅଧିନରେ ଗୋଟିଏ ୱେବସାଇଟ୍ ପ୍ରସ୍ତୁତ ହେବା ସହିତ ଏହା ନିୟମିତ ଭାବେ ଅପ୍ଡେଟ୍ ହେବ ଏବଂ ଏଥିରେ ସମସ୍ତ ଆଇଏଏସ୍ ଅଫିସରମାନଙ୍କର ଭିଜିଲାନ୍ସ ଷ୍ଟାଟସ ରହିବ ।

ରାଜ୍ୟ ସରକାରମାନେ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ କେସ ସାରୁ ନାହାଁନ୍ତି । ଫଳରେ ଏମାନଙ୍କ ବିରୋଧରେ ଥିବା ଭିଜିଲାନ୍ସ ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇ ପାରୁ ନାହାଁନ୍ତି କେନ୍ଦ୍ର ସରକାର । ଏପରିକି ରିପୋର୍ଟ ମିଳିଲା ବେଳକୁ ଅନେକ ଅବସର ବି ନେଇ ସାରୁଛନ୍ତି । ଏଥିରୁ ମୁକ୍ତି ପାଇଁ ନୂଆ ୱେବସାଇଟ କାମ କରିବ ।

ତେଣୁ ରାଜ୍ୟ ସରକାରଙ୍କ ନିକଟରେ ପଡିଥିବା ଆଇଏଏସ୍ ଅଫିସରଙ୍କ ଭିଜିଲାନ୍ସ ମାମଲା ଓ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ରିପୋର୍ଟକୁ ପ୍ରତି ତିନିମାସରେ ଥରେ ପ୍ରଦାନ କରିବାଲାଗି ସ୍ଥିର ହୋଇଛି । ତ୍ରିମାସିକ ରିପୋର୍ଟଟି ପ୍ରତ୍ୟେକ ତୃତୀୟମାସର ୧୫ ତାରିଖ ସୁଦ୍ଧା ଦେବାକୁ ପଡିବ । ରାଜ୍ୟ ସରକାରଙ୍କ ନିକଟରେ କୌଣସି ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗକୁ ତୁରନ୍ତ ଫଏସଲା କରିବା ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟରେ ତାହାର ସ୍ଥିତାବସ୍ଥା ଦାଖଲ କରିବାକୁ କୁହାଯାଇଛି । ୨୦୧୯ ଜୁନ୍ ଶେଷସୁଦ୍ଧା ଆଇଏଏସ୍ ଅଫିସରମାନଙ୍କ ବିରୁଦ୍ଧରେ ରହିଥିବା ମାମଲା ଗୁଡିକୁ ଏକାଠି କରି ତାହାର ସଦ୍ୟତମ ସ୍ଥିତି ସଂକ୍ରାନ୍ତରେ ଜୁଲାଇ ୧୫ ତାରିଖ ସୁଦ୍ଧା ଜଣାଇବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି ।

Related Posts