ଓଡ଼ିଶାରେ ପ୍ରଥମ: ଲାଞ୍ଚ ନେବା ବେଳେ ଧରାପଡ଼ିଲେ IAS

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ । ଏକ ଫାର୍ମ ହାଉସ ପାଇଁ ଅନୁମତି ଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ରାଜ୍ୟ କୃଷି ଏବଂ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନଙ୍କୁ ଗିରଫ କରିଛି ଭିଜିଲାନ୍ସ । ବିଜୟଙ୍କ ବାଲେଶ୍ବର ସୋରରେ ଥିବା ଘର ସହ ସମ୍ପର୍କୀୟ ଓ ଶ୍ବଶୁରଙ୍କ ଘରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

ଜଣେ ଆଇଏଏସ୍ ଅଫିସର ଲାଞ୍ଚ ନେବା ବେଳେ ଧରାପଡ଼ି ଗିରଫ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା । ଯଦିଓ ପୂର୍ବରୁ ଆଇଏଏସ୍ ଅଫିସରମାନେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗଠାରୁ ଆରମ୍ଭ କରି ବିଭିନ୍ନ କାରଣ ପାଇଁ ଗିରଫ ହୋଇଛନ୍ତି । କିନ୍ତୁ କେହି ଲାଞ୍ଚ ନେବା ବେଳେ ଧରାପଡ଼ିନଥିଲେ ।

ବିଜୟ କେତନ ପୂର୍ବରୁ କଳାହାଣ୍ଡି ଓ ଜଗତସିଂହପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୯ ବ୍ୟାଚ୍‌ର ଏହି ଆଇଏଏସ୍ ଅଫିସରଙ୍କ ୟୁପିଏସ୍‌ସି (UPSC) ରାଙ୍କ୍‌ ୫ ଥିଲା ।

ନିକଟ ଅତୀତରେ ଓଡ଼ିଶା ପୋଲିସ ଡିଜି ବି.କେ ଶର୍ମାଙ୍କୁ ୩ ମାସ ମଧ୍ୟରେ ପଦରୁ ହଟାଇ ସରକାର ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଅଭୟଙ୍କୁ ନିଯୁକ୍ତ କରିଥିଲେ ।

Related Posts