ନୌସେନାର କଟକଣା: ଫେସବୁକ ଓ ହ୍ବାଟ୍ସଆପ୍ ବ୍ୟବହାରକୁ ମନା

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇଲା ଭାରତୀୟ ନୌସେନା । ଏହା ସହ ନୌସେନା ଜାହାଜ ଏବଂ ନେଭି ଏୟାରବେସକୁ ମଧ୍ୟ ସ୍ମାର୍ଟ ଫୋନ ନେଇ ଯାଇପାରିବେନି ଯବାନ ଏବଂ ଅଧିକାରୀ । ପୂର୍ବରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଥିବାରୁ ନୌସେନା ଏପରି କଡ଼ା ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

କେମିତି ଧରା ପଡ଼ିଲା ଗୁଇନ୍ଦାଗିରି ?
ଆନ୍ଧ୍ରପ୍ରଦେଶ ପୋଲିସ ବିଗତ ଦିନରେ ପାକିସ୍ତାନ ସହ ଜଡ଼ିତ ଏକ ଗୁପ୍ତଚର ରାକେଟ (ଏସପିଓନଜେ)କୁ ଧରିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଗିରଫ କରାଯାଇଥିବା ୭ଜଣ ନୌସାନା କର୍ମୀଙ୍କର ସମ୍ବନ୍ଧ ପାକସ୍ତାନ ସହ ଥିବା ପ୍ରମାଣ ପାଇଥିଲା ପୋଲିସ । ଏହା ଛଡ଼ା ପୋଲିସ ଅନେକ ସନ୍ଦିଗ୍ଧଙ୍କୁ ଧରି ପଚରାଉଚରା ମଧ୍ୟ କରିଥିଲା ।

ଅପରେସନ ଡଲଫିନ ନୋଜ କ’ଣ ?
ପୋଲିସର ଗୋଇନ୍ଦା ବିଭାଗ, କେନ୍ଦ୍ରୀୟ ଗୋଇନ୍ଦା ଏଜେନ୍ସି ଏବଂ ନୌସାନର ଗୋଇନ୍ଦା ବିଭାଗର ମିଳିତ ‘ଅପରେସନ ଡଲଫିନ ନୋଜ୍’ ଚଳାଇ ଏହି ଗୁପ୍ତଚର ରାକେଟର ପର୍ଦ୍ଦାଫାଶ କରଥିଲା । ନୌସେନାର ୭ଜଣ କର୍ମଚାରୀ ଏବଂ ଜଣେ ହାବାଲା ଅପରେଟରଙ୍କୁ ଦେଶର ଅଲଗା ଅଲଗା ସ୍ଥାନରୁ ଗିରଫ କରାଯାଇଥିଲା ।

ସୋସିଆଲ ମିଡିଆରେ ବଢ଼ୁଛି ଅବିଶ୍ବାସର ସ୍ଥିତି !
ବିଗତ ଦିନରେ ଇସ୍ରାଇଲ୍‌ର ଏକ ସଂସ୍ଥା ହ୍ବାଟସଆପ ଜରିଆରେ ଭାରତରେ କେତେଜଣ ନେତା ଏବଂ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୋଗ ଆସିଥିଲା । ଏହାକୁ ନେଇ ସେତେବେଳେ କେନ୍ଦ୍ର ସରକାରଙ୍କୁ ବିରୋଧୀମାନେ ଆକ୍ରମଣ କରିବା ସହ ଏହା ପଛରେ ମୋଦି ସରକାରଙ୍କ ହାତ ଥିବା ଅଭିଯୋଗ କରିଥିଲେ । ପରେ ଏନେଇ କେନ୍ଦ୍ର ଆଇଟି ଏବଂ ସୂଚ଼ନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସଫେଇ ଦେବାକୁ ପଡ଼ିଥିଲା ।

ଏହା ଛଡ଼ା ଫେସବୁକ ଉପରେ ମଧ୍ୟ ଆମେରିକା ନିର୍ବାଚନ ସମୟରେ ଡାଟା ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ପରେ ଏଥିପାଇଁ ଫେସବୁକର ପ୍ରତିଷ୍ଠାତା ତଥା ସିଇଓ ବ୍ୟକ୍ତିଗତ ଭାବେ ହାଜର ହୋଇ କ୍ଷମା ର୍ପ୍ରାର୍ଥନା କରିବା ସହ ଫେସବୁକକୁ ଜୋରିମାନା ଦେବାକୁ ପଡ଼ିଥିଲା । ଏହା ଛଡ଼ା ଚୀନର ହ୍ୟାକର ମାନେ ସୋସିଆଲ ମିଡିଆରୁ ହ୍ୟାକିଂ କରି ବିଭିନ୍ନ ସମୟରେ ଡାଟା ଚୋରି କରୁଥିବାର ଅଭିଯୋଗ ମଧ୍ୟ ହୋଇଆସୁଛି ।
ସେନାର ବଡ଼ ଅଧିକାରୀମାନଙ୍କୁ ପାକିସ୍ତାନ ସୋସିଆଲ ମିଡିଆ ଜରିଆରେ ହନିଟ୍ରାପରେ ପକାଉଥିବା ନେଇ ଜଣାପଡିଥିଲା । ପରେ  ଭାରତ ସରକାର ସେନାର ଅଧିକାରୀଙ୍କ ଉପରେ ମିଟିଂ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୋସିଆଲ ମିଡିଆ ଏବଂ ସ୍ମାର୍ଟ ଫୋନର ବ୍ୟବହାର କରିବା ଉପରେ କଟକଣା ଜାରି କରିଥିଲେ ।

Related Posts