କରୋନାର ହୋମ୍ ଟେଷ୍ଟିଂ କିଟ୍ କୁ ଆଇସିଏମ୍ଆରର ଗ୍ରୀନ୍ ସିଗନାଲ : ଏଣିକି ୧୫ ମିନିଟ୍ ରେ ମିଳିବ ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ଧାରଣ କରିଛି। ସଂକ୍ରମଣ କମୁଥିବା ବେଳେ ମୃତକଙ୍କ ସଂଖ୍ୟା ୪ ହଜାରରୁ ତଳକୁ ଖସୁନି । ଲକ୍ଷଣ ଥାଇ ମଧ୍ୟ ଲୋକମାନେ ନିଜର ଟେଷ୍ଟ କରିପାରୁ ନାହାନ୍ତି। ଆଉ କରୋନା ଯୁଦ୍ଧରେ ଟେଷ୍ଟିଂ ହେଉଛି ସବୁଠାରୁ ବଡ ଅସ୍ତ୍ର। ତେବେ ଏହି ସମସ୍ୟାକୁ ଦୂର କରିବାକୁ ଯାଇ ଆଇସିଏମଆର ଏକ ବଡ଼ ପଦକ୍ଷେପ ନେଇଛି। ଘରେ ନିଜର କରୋନା ଟେଷ୍ଟ କରିବାକୁ ଘରୋଇ ଟେଷ୍ଟିଂ କିଟ୍ କୁ ଆଇସିଏମଆର ଅନୁମୋଦନ କରିଛି। ଏହି ଟେଷ୍ଟିଂ କିଟ୍‌ର ଦାମ ୨୫୦ ଟଙ୍କା ରହିଥିବା ବେଳେ ୧୫ ମିନିଟ୍‌ ମଧ୍ୟରେ ରିପୋର୍ଟ ମିଳିଯିବ। ପୁଣେ ସ୍ଥିତ ମାଇଁ ଲ୍ୟାବ୍ ଡିସକଭରି ସଲ୍ୟୁସନ୍ ଦ୍ୱାରା ନିର୍ମିତ ଏକ ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ କିଟ୍ କୁ ଆଇସିଏମଆର ଅନୁମୋଦନ ଦେଇଛି। ଏହା ଦ୍ବାରା ଏଣିକି ଘରେ ବସି ନିଜର କୋଭିଡ୍ ଟେଷ୍ଟ କରିପାରିବେ। ଏହି କିଟ୍ ଜରିଆରେ ନାକ ବାଟେ ନିଜର ସ୍ବାବ୍ ନେଇ ଟେଷ୍ଟ କରି ପାରିବେ। ହୋମ ଟେଷ୍ଟିଂ କେବଳ ଲକ୍ଷଣ ଥିବା ଲୋକଙ୍କ ପାଇଁ ବ୍ୟବହାର କରାଯିବ ବୋଲି ଆଇସିଏମ୍ଆର କହିଛି । ଏହା ବ୍ୟତୀତ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିବା ଲୋକମାନଙ୍କ କଣ୍ଟାକ୍ଟରେ ଆସିଥିବେ ଲୋକ ମଧ୍ୟ ଏହି କିଟ୍ ର ବ୍ୟବହାର କରିପାରିବେ। ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ଥରେ ପଜିଟିଭ ଆସିଲା ବାରମ୍ବାର ଟେଷ୍ଟ ନକରିବା ପାଇଁ ଆଇସିଏମ୍ଆର୍ ଗାଇଡଲାଇନ ଜାରି କରିଛି। ଯଦି ଲକ୍ଷଣ ଥିବା କୌଣସି ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ଏହି ଟେଷ୍ଟରେ ନେଗେଟିଭ ଆସେ ତେବେ ସେ ତୁରନ୍ତ ଆରଟିପିସିଆର ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି। ଘରେ ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ ପାଇଁ ମୋବାଇଲ ରେ ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ Mylab coviself app ଡାଉନଲୋଡ୍ କରିବାକୁ ପଡ଼ିବ। ଏହି ଆପ୍ ମାଧ୍ୟମରେ ଟେଷ୍ଟ ରିପୋର୍ଟ ଜଣାପଡିବ। ଏହି ଟେଷ୍ଟିଂ କିଟ୍ କୁଅ ନାକ ଭିତରେ ୨ରୁ ୪ ସେମି ଯାଏ ଭର୍ତ୍ତି କରି ୫ ଥର ବୁଲାଇବାକୁ ପଡ଼ିବ। ଟେଷ୍ଟ କାର୍ଡରେ ଦୁଇ ବୁନ୍ଦା ସ୍ୱାବ ପକାଇ ୧୫ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିବ। ଯଦି ୨୦ ମିନିଟ୍‌ ମଧ୍ୟରେ ରିପୋର୍ଟ ନ ଆସେ ତେବେ ଟେଷ୍ଟ ରେ କୌଣସି ତ୍ରୁଟି ରହିଛି ବୋଲି ବିବେଚନା କରାଯିବ। ଏହି ଟେଷ୍ଟ କାର୍ଡରେ ଦୁଇଟି ସେକସନ ରହିଛି। ଗୋଟିଏ କଣ୍ଟ୍ରୋଲ ସେକସନ ଓ ଅନ୍ୟଟି ଟେଷ୍ଟ ସେକସନ। ଯଦି କେବଳ କଣ୍ଟ୍ରୋଲ ସେକସନ ବାର୍‌ ଦେଖାଯାଏ ତେବେ ରିପୋର୍ଟ ନେଗେଟିଭ ବୋଲି ଧରାଯିବ ଆଉ ଯଦି ଉଭୟ ଟେଷ୍ଟ ଓ କଣ୍ଟ୍ରୋଲ ସେକସନ ବାର ଦେଖାଯାଏ ତେବେ ପଜିଟିଭ ବୋଲି ଧରିବାକୁ ହେବ । ଏହି ଟେଷ୍ଟ କାର୍ଡ ନିଜ ମୋବାଇଲ କ୍ୟାମେରା ଆଗରେ ଦେଖେଇବାକୁ ହେବ। କ୍ୟାମେରା ଦ୍ବାରା ରିପୋର୍ଟ ପ୍ରଦାନ କରାଯିବ। ଯେଉଁମାନେ ଘରେ ଟେଷ୍ଟିଂ କରିବେ, ସେମାନଙ୍କୁ ଆପ୍‌ ଡାଉନଲୋଡ ହୋଇଥିବ ଫୋନରୁ ଏକ ଟେଷ୍ଟ୍ ଷ୍ଟ୍ରିପ୍ ଫଟୋ ନେବାକୁ ପଡ଼ିବ। ମୋବାଇଲ୍ ଫୋନ୍ ତଥ୍ୟ ସିଧାସଳଖ ଆଇସିଏମଆର ଟେଷ୍ଟିଂ ପୋର୍ଟାଲରେ ଷ୍ଟୋର୍ ହୋଇ ରହିବ। ରୋଗୀଙ୍କ ଗୋପନୀୟତା ସୁରକ୍ଷିତ କରାଯିବ ବୋଲି ଆଇସିଏମଆର ନିଶ୍ଚିତ କରିଛି। ପୂର୍ବରୁ ଆମେରିକା ଓ ବ୍ରିଟେନରେ ଏହି ଦ୍ରୁତ ଆଣ୍ଟିଜେନ୍ ଘରୋଇ ଟେଷ୍ଟ କିଟ୍‌ର ବ୍ୟବହାର କରାଯାଉଛି।

Related Posts