ଆରଏସଏସ ଓ ବିଜେପିକୁ ଫାସିଵାଦୀ କହିଵା ମହଙ୍ଗା ପଡ଼ିଲା, ନିଲମ୍ଵିତ ହେଲେ ଵିଶ୍ଵଵିଦ୍ୟାଳୟ ପ୍ରଫେସର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କେରଳର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ତେବେ ଫାସୀବାଦ ଏବଂ ନାଜିଜିମ୍ ଉପରେ ଏକ ଅନଲାଇନ୍ କ୍ଲାସ୍ ସମୟରେ ଆରଏସଏସ ଏବଂ ବିଜେପିକୁ ପ୍ରୋଟୋ-ଫାସିଷ୍ଟ ସଂଗଠନ ବୋଲି କହିଥିବାରୁ କେରଳର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ ସହକାରୀ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ପ୍ରଫେସର ଜଣଙ୍କ ହେଉଛନ୍ତି ଆନ୍ତର୍ଜାତୀୟ ସମ୍ପର୍କ ବିଭାଗର ସହକାରୀ ପ୍ରଫେସର ଗିଲବର୍ଟ ସେବାଷ୍ଟିଆନ । ପ୍ରଫେସରଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟା ପରିଷଦ ସଙ୍ଗଠନ ଅଭିଯୋଗ ଆଣିବା ପରେ ଏହି ନିଲମ୍ବନ କରାଯାଇଥିବାର ସୂଚନା ମିଳିଛି । ଯଦି ପ୍ରଫେସର ଗିଲବର୍ଟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହାଲେ ଛାତ୍ର ସଂଗଠନ ମଧ୍ୟ ଏକ ବିଶାଳ ରାଲି କରିବ ବୋଲି ଧମକ ଦେଇଥିଲା । ଅନ୍ୟପଟେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଶିକ୍ଷା ଉପରେ ଜାତୀୟ ମନିଟରିଂ କମିଟିର ସଦସ୍ୟ ବିନୋଦ କାରୁଭାରାକୁଣ୍ଡ ମଧ୍ୟ ଗିଲବର୍ଟ ସେବାଷ୍ଟିଆନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତେବେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏପ୍ରିଲ 19 ତାରିଖରେ ଘୃଣା ଓ ବିବାଦୀୟ ଅନଲାଇନ୍ କ୍ଲାସ ଅନୁଷ୍ଠିତ ହୋଇଥିଲା। ସେ ଜେନେରାଲ ଫ୍ରାଙ୍କୋଙ୍କ ଅଧୀନରେ ସ୍ପେନ୍, ଆଣ୍ଟୋନିଓ ଡି ଅଲିଭାଇରା ସାଲାଜରଙ୍କ ଅଧୀନରେ ପର୍ତ୍ତୁଗାଲ୍, ଜୁଭାନ୍ ପେରନ୍ଙ୍କ ଅଧୀନରେ ଆର୍ଜେଣ୍ଟିନା, ଅଗଷ୍ଟୋ ପିନୋଚେଙ୍କ ଅଧୀନରେ ଚିଲି, ଦକ୍ଷିଣ ଆଫ୍ରିକାର ଅପାର୍ଥିଡ଼ ଶାସନ, ରୁୱାଣ୍ଡାରେ ହୁଟୁ ସରକାର ପ୍ରୋଟୋ-ଫାସିଷ୍ଟଙ୍କ ଉଦାହରଣ ଭାବରେ ଦର୍ଶାଇଥିଲେ। ସହକାରୀ ପ୍ରଫେସର ସେହି ସମୟରେ ଟୀକା ରପ୍ତାନି ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ପ୍ରଫେସରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ପାଇଁ କୁଳପତି ତିନିଜଣିଆ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ । ତେବେ ଏହି ଯାଞ୍ଚ କମିଟିରେ କେ.ପି ସୁରେଶ, ଏକାଡେମୀର ଡିନ୍, ଆଇଆର ଏବଂ ରାଜନୀତି ବିଭାଗର ପ୍ରଫେସର ଏମ.ଏସ୍ ଜନ୍ ଏବଂ ପରୀକ୍ଷାର ନିୟନ୍ତ୍ରକ ଡକ୍ଟର ମୁରଲିଧରନ୍ ନାମ୍ବିଆର୍ ସଦସ୍ୟ ଥିଲେ । ଏହାପୂର୍ବରୁ 2018 ରେ କେରଳର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇଂରାଜୀ ଏବଂ ତୁଳନାତ୍ମକ ସାହିତ୍ୟ ବିଭାଗର ଅନ୍ୟ ଜଣେ ସହଯୋଗୀ ପ୍ରଫେସର ପ୍ରସାଦ ପାନିଆନଙ୍କୁ ଜଣେ ଦଲିତ ପଣ୍ଡିତଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟର ନିଷ୍ପତ୍ତିକୁ ସମାଲୋଚନା କରି ନିଲମ୍ବିତ କରାଯାଇଥିଲା।

Related Posts