ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ଓ ଆର୍‌ଏସ୍ଏସ୍‌ର ଆଦର୍ଶ ଦେଶରେ ବିଭାଜନ ସୃଷ୍ଟି କରୁଛି। ଶନିବାର ଭାରତ ଯୋଡ଼ ଯାତ୍ରା ଅବସରରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାରତ ଯୋଡ଼ ଯାତ୍ରାରେ ଆଜି ରାହୁଲ ଗାନ୍ଧୀ କର୍ଣ୍ଣାଟକ ବଲ୍ଲାରୀରେ ଏକ ରାଲି କରିଥିଲେ। ଏହି ରାଲିରେ ଲୋକଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ, ଆମେ ଏହି ଯାତ୍ରାର ନାମ ଭାରତ ଯୋଡ଼ ଯାତ୍ରା ଏଥିପାଇଁ ଦେଇଛୁ, କାରଣ ଦେଶର ହଜାର ହଜାର ଲୋକ ଏବେ ଅନୁଭବ କରୁଛନ୍ତି ଯେ ବିଜେପି ଓ ଆର୍‌ଏସ୍‌ଏସର ଆଦର୍ଶ ଦେଶକୁ ବିଭାଜନ କରୁଛି। ଦେଶକୁ ପୁଣି ଥରେ ଏକାଠି ଯୋଡିବା ପାଇଁ ଏହି ଯାତ୍ରା ଆରମ୍ଭ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୩,୫୭୦ କିମି ପଥ ଅତିକ୍ରମ କରିବାକୁ ଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ଆଜି ୩୮ ଦିନ ପୁରିଥିବ ବେଳେ ଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।

ତେବେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି। ରାହୁଲ ଗାନ୍ଧୀ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି। ଅନ୍ୟପଟେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ନୂଆ ଅଧ୍ୟକ୍ଷ ଓ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଦଳ ଆଗାମୀ ନିର୍ବାଚନର କେନ୍ଦ୍ରର ବିଜେପି ସରକାର ସହ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରିଛି।