ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ସବ୍ରୁଆଡୁ ଦାବି ହେବା ପରେ ମମତା ପାର୍ଥଙ୍କୁ ତାଙ୍କ କ୍ୟାବିନେଟରୁ ବାହାର କରି ଦେଇଛନ୍ତି । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।ମମତା କହିଛନ୍ତି ଯେ, ମୁଁ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛି। କାରଣ ମୋର ଦଳ ହେଉଛି ଏକ କଡ଼ା ଶୃଙ୍ଖଳା ଥିବା ଦଳ। ଯଦି କେହି ଭାବୁଛନ୍ତି ଯେ ସେମାନେ ଏଭଳି ଦୁର୍ନୀତି କରି ଶୃଙ୍ଖଳିତ ଦଳରେ ବିଶୃଙ୍ଖଳା ସୃଷ୍ଟି କରଦେବେ, ତେବେ ସେମାନେ ଭୁଲ୍ କରୁଛନ୍ତି। ଦୁର୍ନୀତି ଅଭିଯୋଗରେ ବିରୋଧୀଙ୍କ ତୀବ୍ର ଚାପର ସମ୍ମୁଖୀନ ହୋଇ ମମତା ଗୁରୁବାର ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି।
ଏହା ପୂର୍ବରୁ ଶିକ୍ଷକ ନିଯୁକ୍ତିି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ବହିଷ୍କାର କରିବା ସହ ସମସ୍ତ ପଦବୀରୁ ହଟାଇ ଦେବା ଉଚିତ ବୋଲି କହିଥିଲେ ତ୍ରୁଣମୂଳ କଂଗ୍ରେସର ମୁଖପାତ୍ର କୁନାଲ ଘୋଷ। ସେ ଏକ ଟ୍ବିଟ୍ କରି ଲେଖିଥିଲେ ଯେ, ‘ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରାଳୟରୁ ଏବଂ ସମସ୍ତ ଦଳୀୟ ପଦରୁ ବହିଷ୍କାର କରାଯିବା ଉଚିତ। ଯଦି ମୋର ଏହି ବିବୃତି ଭୁଲ୍ ତେବେ ମୋତେ ବହିଷ୍କାର କରିବାର ଦଳର ପୂର୍ଣ୍ଣ ଅଧିକାର ଅଛି। ମୁଁ ଜଣେ ସୈନିକ ପରି ମୋର ସେବା ଜାରି ରଖିବି।’
