
ୱାସିଂଟନ୍: ଚୀନ ଓ ତାଇୱାନ୍ ମଧ୍ୟରେ ଚାଲିଥିବା ତିକ୍ତତା ଓ ଯୁଦ୍ଧ ସଂଭାବନା ନେଇ ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବଡ ଘୋଷଣା କରିଛନ୍ତି । ଚୀନ୍ ଆକ୍ରମଣ କଲେ ଆମେରିକା ସେନା ତାଇୱାନ୍କୁ ରକ୍ଷା କରିବ ବୋଲି ରବିବାର ଦିନ ପ୍ରସାରିତ ଏକ ସାକ୍ଷାତ୍କାରରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।
ନିଜର ବୋଲି ଚୀନ୍ ଦାବି କରୁଥିବା ସ୍ବୟଂଶାସିତ ଦ୍ବୀପକୁ ଆମେରିକା ସେନା ରକ୍ଷା କରିବ କି ବୋଲି ‘ସିବିଏସ୍ ୬୦ ମିନିଟ୍’ ସାକ୍ଷାତ୍କାରରେ ପଚାରାଯିବାରୁ ସେ ଉତ୍ତର ଦେଲେ, ହଁ, ଯଦି ପ୍ରକୃତରେ ସେ ଭଳି ଅଭୂତପୂର୍ବ ଆକ୍ରମଣ ହୁଏ।
ବାଇଡେନ୍ଙ୍କ ଉତ୍ତରକୁ ସ୍ପଷ୍ଟ କରାଇବାକୁ ଯାଇ ସାକ୍ଷାତ୍କାର କରୁଥିବା ଉପସ୍ଥାପକ ପଚାରିଲେ କି, ୟୁକ୍ରେନ୍ ଭଳି ଲୋକେ ରୁଷ୍ ସେନାକୁ ପ୍ରତିରୋଧ ନ କରି ଆମେରିକା ସେନା ଚୀନ୍ ଆକ୍ରମଣରୁ ତାଇୱାନ୍କୁ ରକ୍ଷା କରିବ କି, ବୋଲି ପଚରାଯିବାରୁ ସେ କହିଲେ, ହଁ।
କିନ୍ତୁ, ତାଇୱାନ୍ ଏବେ ସ୍ବାଧୀନ ଅଛି ନା, ଆଗକୁ ସ୍ବାଧୀନ ରହିବ ବୋଲି ପଚରାଯିବାରୁ ବାଇଡେନ୍ କହିଲେ, ବହୁ ଦିନ ପୂର୍ବେ ଯେଉଁ ରାଜିନାମାରେ ସ୍ବାକ୍ଷର କରିଥିଲୁ ସେଥିରେ ଆମର ସମ୍ମତି ରହିଛି। ‘ୱାନ୍ ଚାଇନା ପଲିସି’ ବି ରହିଛି। ନିଜ ସ୍ବାଧୀନତା ବିଷୟରେ ତାଇୱାନ୍ ନିଜେ ବିଚାର କରିବ। ଆମେ ସେମାନଙ୍କୁ ସ୍ବାଧୀନ ହେବା ପାଇଁ ଉତ୍ସାହ ଦେଉନାହୁଁ।
ତାଇୱାନ୍ ପରିପ୍ରେକ୍ଷୀରେ ଆମେରିକା ଚୀନ୍ ଉପରେ ଅଧିକ ଗୁରୁତ୍ବ ଦେଉଛି ବୋଲି ରାଷ୍ଟ୍ରପତି ବାଇଡେନ୍ଙ୍କ ବିବୃତିରୁ ଜଣାପଡୁଛି। ୟୁକ୍ରେନ୍ ଯୁଦ୍ଧରେ ମଧ୍ୟ ଆମେରିକା ରୁଷ୍ ଉପରେ ଏକା ଗୁରୁତ୍ବ ଦେଉଛି। କିନ୍ତୁ, ପାର୍ଥକ୍ୟ ହେଲା, ରୁଷ୍ ‘ରେଡ୍ ଆର୍ମି’କୁ ମୁକାବିଲା କରିବା ଲାଗି ଆମେରିକା କୋଟି କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ବେଳେ ତାଇୱାନ୍କୁ ଆମେରିକାର ସୈନିକମାନେ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ କବଳରୁ ରକ୍ଷା କରିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।