ସ୍ବାଗତ ପାଇଁ ପ୍ରସ୍ତୁତ ଥିଲେ ସମର୍ଥକ, ହେଲେ ଗଣତନ୍ତ୍ର ଦିବସରେ କାହିଁକି ଜେଲରୁ ମୁକ୍ତ ହୋଇପାରିଲେ ନାହିଁ ସିଦ୍ଧୁ ?

ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ଏକ ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଜାନୁଆରି ୨୬ ଗଣତନ୍ତ୍ର ଦିବସ ଉପଲକ୍ଷେ ଜେଲରୁ ମୁକ୍ତ କରାଯିବାର ଥିଲା । ଏନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇ ଆସୁଥିବା ବେଳେ ଗଣତନ୍ତ୍ର ଦିବସରେ ସିଦ୍ଧୁଙ୍କ ମୁକ୍ତି ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଯାଇଥିଲା। ସିଦ୍ଧୁଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଶୋଭାଯାତ୍ରା ଯିବାକୁ ଥିବା ରାସ୍ତାର ମାନଚିତ୍ର ସେୟାର କରିଥିଲେ ।

ମାତ୍ର ଗଣତନ୍ତ୍ର ଦିବସରେ ସିଦ୍ଧୁ ଜେଲରୁ ମୁକ୍ତ ହୋଇ ପାରିନାହାନ୍ତି। ଶେଷ ମୂହୂର୍ତ୍ତରେ ସିଦ୍ଧୁଙ୍କ ମୁକ୍ତି ନେଇ ରାଜ୍ୟ ସରକାରଙ୍କ ସବୁଜ ସଂକେତ ମିଳିନଥିବାରୁ ସେ ଜେଲରୁ ବାହାରି ପାରିନାହାନ୍ତି। ଏହାକୁ ନେଇ ତାଙ୍କ ସମର୍ଥକ ନିରାଶ ହୋଇଯାଇଛନ୍ତି। ସୂଚନା ଅନୁସାରେ ଜେଲରେ ଥିବା ସିଦ୍ଧୁଙ୍କ ଉତ୍ତମ ଆଚରଣ ପାଇଁ ତାଙ୍କୁ ଗଣତନ୍ତ୍ର ଦିବସରେ ମୁକ୍ତ କରାଯିବାର ଥିଲା। ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଜେଲ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦେବା ବାକି ଥିଲା। ତେବେ ଜେଲ ମନ୍ତ୍ରଣାଳୟ ପକ୍ଷରୁ ଶେଷ ମୁହୂର୍ତ୍ତରେ ସିଦ୍ଧୁଙ୍କ ମୁକ୍ତି ସମ୍ବନ୍ଧୀୟ ଫାଇଲକୁ ଅଟକାଇ ଦିଆଯାଇଥିଲା। ନିକଟରେ ପଞ୍ଜାବରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଜେଲ ମନ୍ତ୍ରଣାଳୟକୁ ନିଜେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ନିଜ ପାଖରେ ରଖିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ସିଦ୍ଧୁଙ୍କୁ ମୁକ୍ତ କରିବାର ନିଷ୍ପତ୍ତି ଟଳିବାକୁ ନେଇ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗଣତନ୍ତ୍ର ଦିବସ ଉପଲକ୍ଷେ ସିଦ୍ଧୁଙ୍କ ସହ ଆଉ କେତେକ କଏଦୀଙ୍କୁ ଭଲ ଆଚରଣ ପାଇଁ ସମୟ ପୂର୍ବରୁ ଛଡ଼ାଯିବାର ଥିଲା । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ତାଲିକାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସବୁଜ ସଂକେତ ମିଳିନାହିଁ ।

ସୂଚନା ଅନୁସାରେ, ନବଜ୍ୟୋତ ସିଂହ ସିଦ୍ଧୁ ଗତ ବର୍ଷ ମେ ୨୦ ରେ ପଟିଆଲା ଜେଲଯାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ଏକ ବର୍ଷ ପାଇଁ ଦଣ୍ଡିତ କରାଯାଇଛି । ଡିସେମ୍ବର ୧୯୮୮ ହୋଇଥିବା ଏକ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଯେଉଁଥିରେ ପାର୍କିଂକୁ ନେଇ ଜଣେ ବୃଦ୍ଧ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ହେବା ପରେ ସିଦ୍ଧୁ ତାଙ୍କୁ ଠେଙ୍ଗାରେ ମାରିଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

Related Posts