ଅବୈଧ ଫଣ୍ଡିଂ ମାମଲା; ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନର ଶୀର୍ଷ ଯାଞ୍ଚ ଏଜେନ୍ସି ଏଫଆଇଏ ସାମନରେ ହାଜର ନହେବା ତଥା ଅବୈଧ ଫଣ୍ଡିଂ ମାମଲାରେ ନୋଟିସର ଜବାବ ନଦେବା ପରେ ତାଙ୍କୁ ଗିରଫ କରାଯାଇ ପାରେ। ପାକିସ୍ତାନର ସ୍ଥାନୀୟ ମିଡିଆ ରିପୋର୍ଟରେ ଶନିବାର ଏହି ଖବର ସାମନାକୁ ଆସିଛି। ଏଫଆଇଏ ଏହି ମାମଲାରେ ଶୁକ୍ରବାର ଇମ୍ରାନ ଖାନଙ୍କୁ ଦ୍ୱିତୀୟ ନୋଟିସ ଜାରି କରିଛି। ଦ ନ୍ୟୁଜର ରିପୋର୍ଟ ଅନୁସାରେ ଇମ୍ରାନ ଖାନଙ୍କୁ ଗତ ବୁଧବାର ପ୍ରଥମ ନୋଟିସ ଜାରି କରାଯାଇଥିଲା, କିନ୍ତୁ ସେ ଯାଞ୍ଚ ଏଜେନ୍ସି ଏଫଆଇଏ ଆଗରେ ହାଜର ହେବାକୁ ମନା କରିଥିଲେ। ଏଫଆଇଏ ଉଚ୍ଚ ଅଧିକାରୀଙ୍କ ବୟାନକୁ ନେଇ ରିପୋର୍ଟରେ କୁହାଯାଇଛି, ତିନୋଟି ନୋଟିସ ଜାରି କରାଯିବା ପରେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ରିପୋର୍ଟ ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାର୍ଟି ସହ ଜଡିତ ପାଞ୍ଚଟି କମ୍ପାନିର ବିଷୟରେ ଏଫଆଇଏ ଜାଣିବାକୁ ପାଇଛି। ଏହି ସବୁ କମ୍ପାନି ଅଷ୍ଟ୍ରେଲିଆ, କାନାଡା, ବ୍ରିଟେନ ଏବଂ ବେଲଜିୟମରେ କାମ କରୁଛି। ପାକିସ୍ତାନ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ରିପୋର୍ଟରେ ଏହି କମ୍ପାନି ଗୁଡିକର ଉଲ୍ଲେଖ ନାହିଁ ତେଣୁ ଏହି ସମ୍ବନ୍ଧୀୟ ପଚାର ଉଚରା ପାଇଁ ତାଙ୍କୁ ନୋଟିସ୍ କରାଯାଇଛି। ଯାହାର ଜବାବ୍ ଦେବାକୁ ଇମ୍ରାନ ମନା କରି ଦେଇଛନ୍ତି ଏହାପରେ ତାଙ୍କୁ ଗିରଫ କରାଯାଇ ପାରେ ବୋଲି ରିପୋର୍ଟ ରେ ପ୍ରକାଶ ପାଇଛି।

Related Posts