ରାହୁଲ ଗାନ୍ଧୀ କଂଗ୍ରେସ ଅଧକ୍ଷ ହେବାକୁ ଚାହୁଁ ନାହାନ୍ତି, କିନ୍ତୁ ଆମେ ତାଙ୍କୁ ଦାୟିତ୍ଵ ନେବାକୁ ଅନୁରୋଧ କରୁଛୁ : ଭକ୍ତ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶେଷ ହେବାକୁ ଯାଉଛି କଂଗ୍ରେସ ଅନ୍ତରୀଣ ଅଧକ୍ଷା ସୋନିଆ ଗାନ୍ଧିଙ୍କ କାର୍ଯ୍ୟକାଳ। ତେବେ ସୋନିଆ ନିଜର ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଆଉ ଦଳର ଦାୟିତ୍ବ ନେବାକୁ ଚାହୁଁ ନାହାନ୍ତି । ଏସବୁ ଭିତରେ କିଏ ଆଗକୁ ଭାରତର ସର୍ବ ପୁରାତନ ଦଳ କଂଗ୍ରେସର ମଙ୍ଗ ଧରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଦଳର କିଛି ନେତା ପୁଣି କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ଚାହୁଁଛନ୍ତି। ଏନେଇ ଦଳର ବରିଷ୍ଠ ନେତା ତଥା ବିହାର ପ୍ରଭାରୀ ଭକ୍ତ ଦାସ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ଅଧକ୍ଷ ପଦ ପାଇଁ ଆଗ୍ରହୀ ନୁହଁନ୍ତି । କିନ୍ତୁ ଆମେ ଏହା ଉପରେ ଆଲୋଚନା କରୁଛୁ । ଏବଂ ତାଙ୍କୁ ଦାୟିତ୍ୱ ନେବାକୁ ଅନୁରୋଧ କରୁଛୁ। ଖାଲି ପଡିଥିବା ଏହି ପଦବୀ କିପରି ପୂରଣ ହେବ ଆମେ ଏ ଦିଗରେ କାମ କରୁଛୁ।”

ଅନ୍ୟ ପକ୍ଷରେ ଆସନ୍ତାକାଲିଠୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକ୍ରିୟାରେ ସେପ୍ଟେମ୍ବର ୨୦ ମଧ୍ୟରେ ଅଧକ୍ଷ ନିର୍ବାଚନ ଶେଷ ହେବ । ହେଲେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଏହି ପଦରେ ବସିବାକୁ ରାଜି ହେଉ ନାହାନ୍ତି। ତେଣୁ ଦଳର ଅନ୍ୟ ଶୀର୍ଷ ନେତା ଅଣ ଗାନ୍ଧି ପରିବାରର ନାଁକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଯେଉଁଥିରେ ଅମ୍ବିକା ସୋନୀ, ଏକ ଆଣ୍ଟୋନି ଇତ୍ୟାଦି ନାଁ ଚର୍ଚ୍ଚାକୁ ଆସିଛି।

ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଭୂମିକା ଗ୍ରହଣ କରିବାକୁ ମନାଇବା ପାଇଁ ଶେଷ ପ୍ରୟାସ ଫଳପ୍ରଦ ହୋଇନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ଦଳର ​​ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ। ଏହାପରେ ସେ କ୍ରମାଗତ ଭାବରେ ଦଳର ସଦସ୍ୟଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଏଭଳି ପରିସ୍ଥିତିରେ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଅନ୍ୟପକ୍ଷରେ ୟୁପି ବିଧାନସଭା ନିର୍ବାଚନର ପରାଜୟ ପରେ ଗାନ୍ଧୀ ପରିବାରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଭଳି ପରିସ୍ଥିତିରେ ସହମତି ଅଭାବରୁ ଆରମ୍ଭ ହୋଇଥିବା କଂଗ୍ରେସ ସଭାପତି ପଦବୀ ପାଇଁ କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚିତତାର କଳାବାଦଲ ଦେଖାଦେଇଛି। ତେବେ ଦଳ ଏହି ବିବାଦ ଉପରେ ଆନୁଷ୍ଠାନିକ ଭାବେ କୌଣସି ମନ୍ତବ୍ୟ ଦେଇନାହିଁ।

ଅପରପକ୍ଷରେ କିନ୍ତୁ ରାହୁଲ ଗାନ୍ଧୀ ମୋଦୀ ସରକାର ବିରୋଧରେ ନିଜର ଅଭିଯାନର ଜାରି ରଖିଛନ୍ତି। ସେପ୍ଟେମ୍ବରରେ ସେ “ଭାରତ ଯୋଡ ଯାତ୍ରା” ନାମରେ ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯାତ୍ରା କନ୍ୟାକୁମାରୀ ଠାରୁ ଆରମ୍ଭ ହେବ ବୋଲି ସୂଚନା ରହିଛି।

Related Posts