ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ଶନିବାର ବସିଥିବା ଜିଏସଟି କାଉନସିଲର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ଏବେ ଅପରାଧିକରଣକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୬ ମାସର ବ୍ୟବଧାନ ପରେ ଶନିବାର ପୁଣି ଥରେ ଜିଏସଟିର ୪୮ତମ ବୈଠକ ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଛି । ଜିଏସଟି କାଉନସିଲର ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ଯେ ନିୟମର ଉଲ୍ଲଂଘନରେ ଏବେ ସବୁ ମାମଲା ଅପରାଧ ନୁହେଁ ।

ଅର୍ଥ ବିଧେୟକ ଜରିଆରେ ଆଇନରେ ପରିବର୍ତ୍ତନର ଯୋଜନା ରହିଛି । ଅନ୍ୟପଟେ ଅନଲାଇନ ଗେମିଂ, କସିନୋ, ଘୋଡା ଦୌଡ଼ ଉପରେ ଗ୍ରୁପ ଅଫ ମିନିଷ୍ଟର୍ସଙ୍କ ପକ୍ଷରୁ ରଖାଯାଇଥିବା ପ୍ରସ୍ତାବ ଉପରେ କୌଣସି ଆଲୋଚନା ହୋଇ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକ ନେଇ ରାଜସ୍ବ ସଚିବ କହିଛନ୍ତି ଯେ, କିଛି ନିୟମର ଉଲ୍ଲଙ୍ଘନକୁ ଅପରାଧ ଶ୍ରେଣୀରୁ ବାହାର ରଖିବା ଉପରେ ଜିଏସଟି କାଉନସିଲ ନିଜ ସହମତି ପ୍ରକାଶ କରିଛି । ଅନ୍ୟପଟେ ପ୍ରସିକ୍ୟୁଶନ ଆରମ୍ଭ କରିବାର ସୀମା ଦ୍ୱିଗୁଣା କରି ୨ କୋଟି ଟଙ୍କା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମାଙ୍କ ଅଧ୍ୟକ୍ଷତାରେ ଗ୍ରୁପ ଅଫ୍ ମିନିଷ୍ଟର୍ସ(ଜିଓଏମ) ଏହି ପ୍ରସଙ୍ଗରେ ନିଜ ରିପୋର୍ଟ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଥିଲେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜିଏସଟି ପରିଷଦ ସମୟର ଅଭାବରୁ ଏଜେଣ୍ଡାରେ ସାମିଲ ୧୫ ପ୍ରସଙ୍ଗ ମଧ୍ୟରୁ କେବଳ ଆଠଟି ଉପରେ ନିଷ୍ପତ୍ତି ନେଇପାରିଛି ।