ବାଣିଜ୍ୟ ଡିଗ୍ରୀଧାରୀଙ୍କ ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସରକାରୀ ଶିକ୍ଷକ ପଦରେ ମିଳିବ ନିଯୁକ୍ତି

କଟକ: ବାଣିଜ୍ୟରେ ଡିଗ୍ରୀଧାରୀ (କମର୍ସ ଗ୍ରାଜୁଏଟ୍‌ ଓ ପୋଷ୍ଟ୍‌ ଗ୍ରାଜୁଏଟ୍‌)ଙ୍କ ପାଇଁ ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ମିଳିବା ନେଇ ସୂଚନା ଦେଇଛନ୍ତି । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା ଇଂଲିସ୍‌ ଏବଂ ଅର୍ଥନୀତି (ଇକୋନୋମିକ୍ସ)କୁ ସ୍କୁଲ୍‌ ପାଠ ହିସାବରେ ଗ୍ରହଣ କରାଯିବ । ଏହି ଆଧାରରେ ବାଣିଜ୍ୟ ଡିଗ୍ରୀଧାରୀଙ୍କୁ ଶିକ୍ଷକ ପଦରେ ନିଯୁକ୍ତି ଦିଆଯାଇପାରିବ ବୋଲି ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆବେଦନକାରୀଙ୍କ ନିଯୁକ୍ତିକୁ ରଦ୍ଦ ପାଇଁ ଦେଇଥିବା ଆଦେଶକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏଥିସହ ଆବେଦନକାରୀଙ୍କୁ ସିବିଟି (କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ୍‌) ଏବଂ ଅନ୍ୟାନ୍ୟ ଯୋଗ୍ୟତା ଆଧାରରେ ଶିକ୍ଷକ ପଦରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜ୍ୟୋତିରଞ୍ଜନ ଜେନା ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ, ୨୦୨୧ ମସିହାରେ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କଣ୍ଟ୍ରାକ୍‌ଚୁଆଲ ଟ୍ରେନ୍‌ଡ୍‌ ଗ୍ରାଜୁଏଟ୍‌ ଟିଚର୍‌ (ଟିଜିଟି) ପଦ ଏବଂ ତେଲୁଗୁ ଶିକ୍ଷକ ପଦ ପୂରଣ ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଆଧାରରେ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ୨୦୨୧ ଅଗଷ୍ଟ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ଆଧାରରେ ଆବେଦନକାରୀମାନେ ଶିକ୍ଷକତା ପାଇଁ ଆବେଦନ କରିଥିଲେ । ଏହାପରେ ମେରିଟ୍‌ ଲିଷ୍ଟ୍‌ ଏବଂ ରିଜେକ୍ଟ ଲିଷ୍ଟ୍‌ ପ୍ରକାଶ ପାଇଥିଲା । ବିଜ୍ଞପ୍ତିରେ ପ୍ରକାଶିତ ପଦବି ପାଇଁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ତେ୍ୱ ସେମାନଙ୍କ ନାମ ରିଜେକ୍ଟ ଲିଷ୍ଟରେ ରହିଥିଲା । ସେମାନଙ୍କର ବାଣିଜ୍ୟ ଡିଗ୍ରୀ ପାଠ୍ୟକ୍ରମରେ କୌଣସି ଦୁଇଟି ସ୍କୁଲ୍‌ ବିଷୟ ନଥିବାରୁ ସେମାନଙ୍କୁ ମେରିଟ୍‌ ଲିଷ୍ଟରୁ ବାଦ୍‌ ଦିଆଯାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା । ଏଭଳି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ବିଭିନ୍ନ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟରେ ଉଲ୍ଲେଖ କରିଛନ୍ତି ଯେ, ସମଗ୍ର ରାଜ୍ୟରେ ଇଂଲିସ୍‌କୁ ବାଣିଜ୍ୟ ଡିଗ୍ରୀରେ କମ୍ୟୁନିକେଟିଭ୍‌ ଇଂଲିସ୍‌ ଏବଂ ଅର୍ଥନୀତିକୁ ବିଜିନେସ୍‌ ଇକୋନୋମିକ୍ସ କୁହାଯାଇଥାଏ । ତେଣୁ ଏହି ବାଣିଜ୍ୟ ଡିଗ୍ରୀଧାରୀଙ୍କୁ ସ୍କୁଲ୍‌ ବିଷୟ ନଥିବା ଦର୍ଶାଇ ଶିକ୍ଷକ ପଦବିରେ ନିଯୁକ୍ତି ନଦେବା ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରିତା ବୋଲି ଧରାଯିବ । ଏଭଳି ନିଷ୍ପତ୍ତି ଦ୍ୱାରା ଏକ କୃତ୍ରିମ ପାର୍ଥକ୍ୟ ସୃଷ୍ଟି କରାଯାଉଥିବାରୁ ଏହା ଆଇନ ଆଗରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।

Related Posts