କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ; ଅପରାହ୍ନ ୩ଟାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): କରୋନା ସ୍ଥିତିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଥିବାବେଳେ ଗୁରୁତ୍ବପୂର୍ଣ୍ଣ ବୈଠକ ସବୁ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଏଥିପାଇଁ କିଭଳି ସତର୍କ ରହିବାକୁ ପଡ଼ିବ ସେନେଇ ଆଲୋଚନା ହୋଇପାରେ । କୋଭିଡ଼ ସ୍ଥିତି ନେଇ ହେବାକୁ ଥିବା ଏହି ପ୍ରସ୍ତୁତି ବୈଠକ ଅପରାହ୍ନ ୩ଟାରେ ହେବା ନେଇ ସୂଚନା ମିଳିଛି ।

ଏହି ବୈଠକରେ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରି ନୂଆ ଗାଇଡ଼ଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର । ତେବେ ଗତକାଲି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ । ବୈଠକ ପରେ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମ ପାଳନ କରିବାକୁ ସେ କହିଛନ୍ତି । ଜିନୋମ ସ୍ୱିକେନ୍ସ ଓ ଟେଷ୍ଟିଂ ବଢାଇବା ସହ ବିମାନବନ୍ଦରରେ ସର୍ଭେଲାନ୍ସ ବଢାଇବାକୁ ସେ କହିଛନ୍ତି । ବୃଦ୍ଧ ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଅକ୍ସିଜେନ ସିଲିଣ୍ଡର, ହସପିଟାଲ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ବି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପର୍ବପର୍ବାଣୀରେ କୋଭିଡ ନିୟମ ପାଳନ କରାଯାଉ । ତେଣୁ ନୂଆବର୍ଷ ସମୟରେ ସରକାର ନୂଆ କୋଭିଡ କଟକଣା ଲାଗୁ ହେବାର ଆଶଙ୍କା କରାଯାଉଛି ।

Related Posts